ବନ୍ଧୁକ ବେପାରୀ କକା-ପୁତୁରା ଗିରଫ

Advertisment

ଦେଶୀ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ

ଦେଶୀ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ

ବନ୍ଧୁକ ବେପାରୀ କକା-ପୁତୁରା ଗିରଫ

ଖଣ୍ଡଗିରି : ଦୀର୍ଘ ଦିନ ଧରି ରାଜଧାନୀରେ ବନ୍ଧୁକ ବେପାର କରି ଆସୁଥିବା କକା-ପୁତୁରା ଯୋଡ଼ିଙ୍କୁ ବୁଧବାର ରାତିରେ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ଖୋର୍ଧା ଜିଲ୍ଲା ବୋଲଗଡ଼ ଥାନା ଡିହ ଖଉରୁଣି ଗାଁର କକା ସନାତନ ସୁନ୍ଦରାୟ(୪୬) ଓ ପୁତୁରା ଅଶୋକ ସୁନ୍ଦରାୟ(୨୨)। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ(୭ମିମି) ଓ ୩ଟି ଜୀବନ୍ତ ଗୁଳି ଜବତ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ୍‌ ନାମଞ୍ଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନାନୁସାରେ ବୁଧବାର ରାତି ପ୍ରାୟ ୧୧ଟାବେଳେ ଖଣ୍ଡଗିରି ଥାନା ପୁଲିସ ଭ୍ୟାନ୍‌ ଜୟଦେବ ବାଟିକା ରାସ୍ତାରେ ପାଟ୍ରୋଲିଂ କରୁଥିଲା। ପର୍ଯ୍ୟଟକ ବସ୍‌ ଟର୍ମିନାଲ ଭିତରେ ଦୁଇ ଜଣ ଅନ୍ଧାରରେ ଠିଆ ହୋଇଥିବା ଦେଖି ପୁଲିସ ଭ୍ୟାନ୍‌ ସେହି ଆଡ଼କୁ ମୁହାଁଇଥିଲା। ପୁଲିସ ଭ୍ୟାନ୍‌ ଦେଖି ଦୁଇ ଜଣଯାକ ଘଟଣାସ୍ଥଳରୁ ଦୌଡ଼ିଥିଲେ। ପୁଲିସ ଅଶୋକକୁ ଗୋଡ଼ାଇ ଗୋଡ଼ାଇ ଧରିପକାଇଥିଲେ ବି ସନାତନ ଖସି ପଳାଇଥିଲା। ଥାନାକୁ ନେଇ ପଚାରଉଚରା ଓ ତନଖି କରିବା ପରେ ଅଶୋକ ନିକଟରୁ ଏକ ଦେଶୀ ପିସ୍ତଲ ଓ ୩ଟି ଗୁଳି ମିଳିଥିଲା। ଅଶୋକଠାରୁ ତଥ୍ୟ ପାଇ ନୂଆପଲ୍ଲୀ ଥାନା ଇସ୍କନ ମନ୍ଦିର ନିକଟ ଏକ ବସ୍ତିରେ(ପ୍ଲଟ ନମ୍ବର-୧୪୯୭) ଚଢ଼ଉ କରି ସନାତନକୁ ଧରିବାରେ ସକ୍ଷମ ହୋଇଥିଲା।

ପଚରାଉଚରା ପରେ ସେମାନେ ବନ୍ଧୁକ ବେପାର କରୁଥିବା ମାନିଥିଲେ ବୋଲି ପୁଲିସ ସୂଚନା ଦେଇଛି। ଏମାନେ ନୟାଗଡ଼ରେ ତିଆରି ହେଉଥିବା ଦେଶୀ ପିସ୍ତଲ ଆଣି ରାଜଧାନୀରେ ବେପାର କରୁଥିଲେ। ଗତକାଲି ଜଣେ ଗ୍ରାହକକୁ ବନ୍ଧୁକ ବିକିବା ପାଇଁ ସେମାନେ ଚୁକ୍ତି କରି ଜୟଦେବ ବାଟିକା ଛକରେ ଅପେକ୍ଷା କଲାବେଳେ ପୁଲିସ ହାତରେ ଧରାପଡ଼ିଯାଇଥିଲେ। ଏ ନେଇ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe