Image Courtesy of TOI
ହାଓଡ଼ା: ଜଗତ୍ବଲ୍ଲଭପୁର ଅନ୍ତର୍ଗତ ଅଙ୍କରୁହାତୀ ଠାରେ ସ୍ଥାନୀୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ପରିଚାଳିତ ବିବେକାନନ୍ଦ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ଆତ୍ମହତ୍ୟା କରିବା ଯୋଗୁଁ ସୋମବାର ଦିନ ହାଓଡ଼ା-ଦୋମ୍ଜୁର ମୁଖ୍ୟ ରାସ୍ତାର ଚାନ୍ଦିନୀ ଛକଠାରେ ସ୍ଥାନୀୟ ଜନତା ଏବଂ ପୁଲିସ ମଧ୍ୟରେ ସଂଘର୍ଷ ତୁମୁଳ ହୋଇଥିଲା। ପ୍ରଧାନ ଶିକ୍ଷକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ।
ସୋମବାର ପ୍ରଭାତରେ ଶଙ୍କରହାତୀସ୍ଥିତ ନିଜ ଘର ପାଖର ଏକ ବାଉଁଶମୋଟାରେ ୪୪ ବର୍ଷିୟ ସୁଜିତ ବାନାର୍ଜୀ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ୧୯ ଲକ୍ଷ ଟଙ୍କାର ଏକ ଚଞ୍ଚକତାକୁ ଲୋକଲୋଚନକୁ ଆଣିଥିବାରୁ ତାଙ୍କୁ ହଇରାଣ ହରକତ କରୁଥିବା କିଛି ସ୍କୁଲ୍ ସଦସ୍ୟଙ୍କ ନାମ ତାଙ୍କ ସ୍ୟୁସାଇଡ୍ ନୋଟ୍ରେ ବାନାର୍ଜୀ ଉଲ୍ଲେଖ କରିଥିଲେ।
ସାଧୁତା ଏବଂ ଉତ୍ସର୍ଗୀକୃତ ମନୋଭାବ ପାଇଁ ବାନାର୍ଜୀ ସୁପରିଚିତ। ବିଶୋଧିତ ପାନୀୟ ଜଳ ବ୍ୟବହାର ଏବଂ ସାପ କାମୁଡ଼ାର ଚିକିତ୍ସା ଆଦି ସ୍ୱାସ୍ଥ୍ୟରକ୍ଷା ସଂକ୍ରାନ୍ତ ସଚେତନତା ପ୍ରସାର ପାଇଁ ସେ ପିଲାମାନଙ୍କ ଘରକୁ ଯାଉଥିଲେ ବୋଲି ସୁବଳ ହାଉଲି ନାମଧ୍ୟେୟ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି।
ଖବର ପ୍ରଘଟ ହେବା ମାତ୍ରେ, ପ୍ରାୟ ୩୦୦୦ ସ୍ଥାନୀୟ ଜନତା ଏକତ୍ର ହୋଇ ରାସ୍ତା ଅବରୋଧ କରିଥିଲେ। ପୁଲିସ ସହ ଖଣ୍ଡଯୁଦ୍ଧ କରିବା ସହ ସେମାନେ ପରିଚାଳନା କମିଟି ସଦ୍ୟସଙ୍କ ମାଲିକାନାରେ ଥିବା କେତେକ ଦୋକାନ ଭାଙ୍ଗି ଦେଇଥିଲେ।
ବାନାର୍ଜୀ ଏବଂ କମିଟି ସଦସ୍ୟମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଥିଲା। ସ୍ୟୁସାଇଡ୍ ନୋଟ୍ରେ ଉଲ୍ଲେଖ ଥିବା ନାମଧାରୀ ବ୍ୟକ୍ତି ବିଶେଷଙ୍କ ଉପରେ ଚାର୍ଚ କରାଯିବ। ସେମାନେ ଏବେ ଫେରାର୍ ଅଛନ୍ତି। ଜଣେ ଶିକ୍ଷୟିତ୍ରୀ ତାଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଯୌନ ଉତ୍ପୀଡ଼ନ ଆରୋପ ମିଥ୍ୟା କି, ନୁହେଁ ଆମେ ତଦନ୍ତ କରିବୁ ବୋଲି ପୁଲିସ ଏସ୍ପି କହିଛନ୍ତି।
Follow Us