ନୂଆଦିଲ୍ଲୀ: ଉଜବେକିସ୍ତାନର ଏକ ପ୍ରାଣୀ ଉଦ୍ୟାନରେ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳୁଛି। ଏଠାରେ ଜଣେ ମା’ ନିଜର ୩ ବର୍ଷର ଝିଅକୁ ଭାଲୁ ରହୁଥିବା ବାଉଣ୍ଡରି ଭିତରକୁ ଫିଙ୍ଗି ଦେଇଥିବା ଦେଖିବାକୁ ମିଳୁଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଉଜବେକିସ୍ତାନର ରାଜଧାନୀ ତାସକନ୍ଦରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମା’ ନିଜର ତିନି ବର୍ଷର ଝିଅକୁ ଏକ ପ୍ରାଣୀ ଉଦ୍ୟାନର ଭାଲୁ ଏନକ୍ଲୋଜରରେ ଫିଙ୍ଗି ଦେଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ମା’ ଭାଲୁ ଏନକ୍ଲୋଜରରେ ଶିଶୁକୁ ଫିଙ୍ଗି ଦେବା ପରେ ଜୁଜୁ ନାମକ ଭାଲୁ ପାଖକୁ ଯାଇ ଶୁଙ୍ଘି ଥିଲା। ସୌଭାଗ୍ୟବଶତଃ ଭାଲୁ ଜୁଜୁ ଶିଶୁକୁ କିଛି ନକରି ପିଞ୍ଜରା ଭିତରେ ପଶି ଯାଇଥିଲା। ଫଳରେ ପ୍ରାଣୀ ଉଦ୍ୟାନ କର୍ମଚାରୀମାନେ ଯଥାଶୀଘ୍ର ଶିଶୁକୁ ସଙ୍ଗେସଙ୍ଗେ ଉକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ। ଏହି ଘଟଣାପରେ ଶିଶୁ ଆହତ ହୋଇଥିବାରୁ ତାକୁ ଚିକିତ୍ସା ପାଇଁ ପ୍ରାଣୀ ଉଦ୍ୟାନ କର୍ମଚାରୀମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ମାଆକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ତେବେ ମା’ ଶିଶୁକୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ନେଇ ଏକ ଅପରାଧିକ ମାମଲା ରୁଜୁ ହୋଇପାରେ। ଯଦି ମା’ ଦୋଷୀ ସାବ୍ୟସ୍ତ ହୁଏ ତେବେ ତାକୁ ଅତି କମରେ ୧୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।
Follow Us