୮ କୋଟି ଟଙ୍କା ଡକାୟତି ଘଟଣା: ‘ଡାକୁ ହସୀନା’ଙ୍କୁ ଧରାପକାଇ ଦେଲା ୧୦ ଟଙ୍କିଆ ‘ଡ୍ରିଙ୍କ୍‌’

୮ କୋଟି ଟଙ୍କା ଡକାୟତି ଘଟଣା: ‘ଡାକୁ ହସୀନା’ଙ୍କୁ ଧରାପକାଇ ଦେଲା ୧୦ ଟଙ୍କିଆ ‘ଡ୍ରିଙ୍କ୍‌’

Image Courtesy of India Today

ଚଣ୍ଡୀଗଡ଼: ଗୋଟାଏ ୧୦ ଟଙ୍କିଆ ‘ଫ୍ଲେବର୍‌ଡ୍‌ ଡ୍ରିଙ୍କ୍‌’ ୮ କୋଟି ଟଙ୍କା ଡକାୟତିରେ ସମ୍ପୃକ୍ତ ଥିବା ‘ଡାକୁ ହସୀନା’ ନାମ୍ନୀ ଜଣେ ମହିଳା ଓ ତାଙ୍କ ସ୍ବାମୀଙ୍କୁ ପୁଲିସ ହାତରେ ଧରାପକାଇ ଦେଇଥିବା କଥା ପୁଲିସ କହିଛି।

ଜୁନ୍‌ ୧୦ ତାରିଖରେ ଲୁଧିଆନାରେ ୮ କୋଟି ୪୯ ଲକ୍ଷ ଟଙ୍କା ଡକାୟତି କରିଥିବା ଉକ୍ତ ଦମ୍ପତିଙ୍କୁ ଧରିବାରେ ପୁଲିସକୁ ବିଶେଷ ସହଯୋଗ କରିଥିଲା ମାତ୍ର ୧୦ ଟଙ୍କା ମୂଲ୍ୟର ପାନୀୟ (କାଗଜ ଖୋଳରେ ମିଳୁଥିବା ବିଭିନ୍ନ ସାମଗ୍ରୀ ମିଶ୍ରିତ ଥଣ୍ଡା ପାନୀୟ)।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମନଦୀପ କୌର୍‌ ଓରଫ୍‌ ‘ଡାକୁ ହସୀନା’ ଓ ତାଙ୍କ ସ୍ବାମୀ ଜସ୍‌ୱିନ୍ଦର୍‌ ସିଂହ। ସେମାନେ ଉତ୍ତରାଖଣ୍ଡର ଚାମୋଲି ଅନ୍ତର୍ଗତ ହେମକୁଣ୍ଡ ସାହିବ୍‌କୁ ଯାଉଥିବା ବେଳେ ଗିରଫ ହୋଇଛନ୍ତି। ଡକାୟତି କରିବାରେ ସଫଳ ହୋଇଥିବାରୁ କୃତଜ୍ଞତା ଜଣାଇବା ନିମନ୍ତେ ସେମାନେ ଉକ୍ତ ଶିଖ୍‌ ଧର୍ମପୀଠକୁ ଯାଉଥିଲେ। ସେମାନଙ୍କ ପାଖରୁ ନଗଦ ୨୧ ଲକ୍ଷ ଟଙ୍କା ଜବତ କରାଯାଇଛି।

ସଂଗୃହୀତ ତଥ୍ୟ ଅନୁସାରେ, ମନ୍‌ଦୀପ ଓ ତାଙ୍କ ସ୍ବାମୀ ନେପାଳ ଖସିଯିବାକୁ ଯୋଜନା କରୁଥିବା କଥା ପୁଲିସକୁ ସୂଚନା ମିଳିଥିଲା। କିନ୍ତୁ, ତା’ପୂର୍ବରୁ ସେମାନେ ହରିଦ୍ବାର, କେଦାରନାଥ ଓ ହେମକୁଣ୍ଡ ସାହିବ ସମେତ ବିଭିନ୍ନ ତୀର୍ଥକ୍ଷେତ୍ର ‌ଦର୍ଶନ କରିବାକୁ ଯୋଜନା କରିଥିଲେ।

article-image Image Courtesy of Free Press Journal

କିନ୍ତୁ, ଉତ୍ତରାଖଣ୍ଡସ୍ଥିତ ହେମକୁଣ୍ଡ ସାହିବରେ ଅସଂଖ୍ୟ ଭକ୍ତ ଗହଳିରେ ଉକ୍ତ ଦମ୍ପତିଙ୍କୁ ଚିହ୍ନଟ କରିବା ଥିଲା କଷ୍ଟକର। ପୁଲିସ ମୁଣ୍ଡରେ ଗୋଟାଏ ବୁଦ୍ଧି ଜୁଟିଲା। ସେମାନେ ତୀର୍ଥଯାତ୍ରୀଙ୍କ ନିମନ୍ତେ ମାଗଣା ପାନୀୟ ସେବା ବ୍ୟବସ୍ଥା କରାଇଲେ। ଯୋଗକୁ ଅଭିଯୁକ୍ତ ଦମ୍ପତି ପୁଲିସ ଖୋଲିଥିବା ପାନୀୟ ଷ୍ଟଲ୍‌ରେ ପହଞ୍ଚିଲେ। ଚିହ୍ନା ନ ପଡ଼ିବା ପାଇଁ ସେମାନେ ମୁହଁ ଢାଙ୍କିଥିଲେ। କିନ୍ତୁ, ପିଇବା ପାଇଁ ସେମାନଙ୍କୁ ମୁହଁରୁ ଆବରଣ କାଢ଼ିବାକୁ ପଡ଼ିଲା। ସେତିକି ବେଳେ ହିଁ ପୁଲିସ ସେମାନଙ୍କୁ ଚିହ୍ନି ପକାଇଲା।

କୌତୁହଳର କଥା ହେଲା, ଚିହ୍ନି ପକାଇଲେ ବି ମନ୍‌ଦୀପ୍‌ ଓ ଜସ୍‌ୱିନ୍ଦର୍‌ଙ୍କୁ ପୁଲିସ ସଙ୍ଗେ ସଙ୍ଗେ ଗିରଫ କଲାନାହିଁ। ସେମାନେ ଯାଇ ହେମକୁଣ୍ଡ ସାହିବ୍‌ରେ ଉପାସନା ସାରି ଫେରିଲେ। ସେଠାରୁ କିଛି ବାଟ ଯିବା ପରେ ପୁଲିସ ସେମାନଙ୍କୁ ବାଟରେ ଗିରଫ କଲା।

ଦୁହିଁଙ୍କ ବ୍ୟତୀତ, ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ୧୨ଜଣଙ୍କ ମଧ୍ୟରୁ ୯ଜଣଙ୍କୁ ଗିରଫ କରିସାରିଲାଣି। ସେମାନଙ୍କ ମଧ୍ୟରେ ଅଛନ୍ତି ଅନ୍ୟତମ ଅଭିଯୁକ୍ତ ପଞ୍ଜାବ ଗିଦ୍ଦେର୍‌ବହାର ଗୌରବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe