Photo by : northeasttoday.in
ଭୁବନେଶ୍ୱର : ପତ୍ନୀକୁ ପଥରରେ ଛେଚି ହତ୍ୟା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ସ୍ୱାମୀ ଦିଲ୍ଲୀପ କୁମାର ବାଗ(୨୮)କୁ ଗିରଫ କରିଛି। ଦିଲ୍ଲୀପଙ୍କ ଘର ସମ୍ବଲପୁର କୁମ୍ଭାରପଡ଼ା ଅଞ୍ଚଳର। ତେବେ ଏଠାରେ ରାଜମହଲ ଓଭରବ୍ରିଜ ତଳେ ପତ୍ନୀ ଗୁରୁବାରୀ ଓ ୨ ପୁୁଅଙ୍କ ସହ ରହି ପ୍ଲାଷ୍ଟିକ୍ ବୋତଲ ଗୋଟେଇ ଚଳୁଥିଲେ।
ପୁଲିସ ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ନଶାସକ୍ତ ଅବସ୍ଥାରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କଥା କଟାକଟିରୁ ଉଭୟ ହାତାହାତି ହୋଇଥିଲେ।। ନିଶାସକ୍ତ ଅବସ୍ଥାରେ ଥିବା ଦିଲ୍ଲୀପ ଉତ୍ତ୍ୟକ୍ତ ହୋଇ ଏକ ପଥରରେ ଗୁରୁବାରୀଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଫଳରେ ଗୁରୁବାରୀ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ଉଭୟ ସେଠାରେ ନିଶସକ୍ତ ଅବସ୍ଥାରେ ପଡ଼ିରହିଥିଲେ। ସକାଳୁ ଦିଲ୍ଲୀପ ଉଠିଥିଲେ ହେଁ ଗୁରୁବାରୀ ଆଖି ଖୋଲି ନଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁବାରୀଙ୍କ ମୃତଦେହ ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ।
ପୁଲିସ ମୃତଦେହକୁ ଜବତ କରିବା ସହିତ ସେଠାରୁ ଦିଲ୍ଲୀପକୁ ଗିରଫ କରି ପଚରାଉଚରା କରିଥିଲା। ତାଙ୍କର ଦୁଇ ଶିଶୁ ପୁତ୍ରଙ୍କୁ ସମ୍ପର୍କୀୟଙ୍କ ଜିମାରେ ଛଡ଼ାଯାଇଛି। ମୃତ ଗୁରୁବାରୀଙ୍କ ଘର ବାରଙ୍ଗ ତେଲେଙ୍ଗା ସାହିରେ। ଦୁହେଁ ୫ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ୨ ମାସ ହେବ ସେମାନେ ଓଭରବ୍ରିଜ ତଳେ ଅସ୍ଥାୟୀ ଭାବେ ରହି ରାଜଧାନୀର ବିଭିନ୍ନ ସ୍ଥାନରୁ ଜର ଓ ପ୍ଲାଷ୍ଟିକ୍ ବୋତଲ ଗୋଟାଇ ଚଳୁଥିଲେ। ଆସନ୍ତାକାଲି ଦିଲ୍ଲୀପକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ମାନସ ଗଡ଼ନାୟକ କହିଛନ୍ତି। ଅନ୍ୟପଟେ ପୁଲିସ ଗୁୁରୁବାରୀର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
Follow Us