ଖଣ୍ଡଗିରିରୁ ଅନ୍ତଃରାଜ୍ୟ ନିଶା ବେପାରୀ ଗିରଫ, ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Advertisment
ଆଜ୍‌ବେଷ୍ଟସ ଭାଙ୍ଗି ୯ଲକ୍ଷ ଲୁଟ୍‌ ମାମଲା : ୪ ଅଭିଯୁକ୍ତ ଗିରଫ, ୨.୨୪ଲକ୍ଷ ଟଙ୍କା, ବାଇକ୍‌ ଓ ମୋବାଇଲ୍‌ ଜବତ

Babylon Radio

ଖଣ୍ଡଗିରି: ଖୋର୍ଧା ଓ ଭୁବନେଶ୍ବର ଅବକାରୀ ମୋବାଇଲ୍‌ ସ୍କ୍ବାଡ୍‌ ଖଣ୍ଡଗିରିରୁ ଜଣେ କୁଖ୍ୟାତ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀକୁ ଗିରଫ କରିଛି। ଦିଲ୍ଲୀ, କୋଲକାତା ଓ ଟାଟା ଭଳି ବଡ଼ ବଡ଼ ସହରକୁ ଗଞ୍ଜେଇ ଚାଲାଣ କରୁଥିବା ଏହି ବେପାରୀ ହେଲା, ଖଣ୍ଡଗିରି କୋଳଥିଆ ଗ୍ରିନଲ୍ୟାଣ୍ଡରେ ରହୁଥିବା ବାଲେଶ୍ବରର ସୁବଳ ସାମନ୍ତରାୟ(୫୫)। ତା’ ନିକଟରୁ ସାଢ଼େ ୫ କ୍ବିଣ୍ଟାଲ୍ ମାଲ୍ ଜବତ କରାଯାଇଛି। ଏହାର ବଜାର ମୂଲ୍ୟ ୪୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସୁବଳକୁ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

କେମିତି ଧରାପଡ଼ିଲା: ବେଶ୍ କିଛି ବର୍ଷ ହେଲା ସୁବଳକୁ ପିଛା କରୁଥିବା ଅବକାରୀ ବିଭାଗ ଦୁଇ ଦିନ ପୂର୍ବେ ତା’ର ଠିକଣା ପାଇ ଯାଇଥିଲା। ତେଣୁ ଆଜି ଅତର୍କିତ ଭାବେ କୋଳଥିଆ ଗ୍ରିନ୍‌ ଲ୍ୟାଣ୍ଡସ୍ଥିତ ତା’ର ଭଡ଼ା ଘର ଉପରେ ଚଢ଼ଉ କରାଯାଇଥିଲା। ଦୁଇ ଦିନ ହେଲା ମାଲ୍ ଆଣି ସେ ଘରେ ମହଜୁଦ୍ ରଖିଥିଲା। ଟ୍ରେନ୍‌ ଯୋଗେ ସେ ଆଜି କିଛି ମାଲ୍ ଦିଲ୍ଲୀକୁ ଏବଂ ଆସନ୍ତାକାଲି କୋଲକାତା ଓ ଟାଟାକୁ ଅବଶିଷ୍ଟ ମାଲ୍ ପଠାଇବାର ଥିଲା। କିନ୍ତୁ ଅବକାରୀ ବିଭାଗ ତା’ର ଏହି ଯୋଜନାକୁ ପଣ୍ଡ କରି ଦେଇଥିଲା। ତା’ ଘରୁ ୨୬ଟି ଜରି ବସ୍ତାରେ ଭର୍ତ୍ତି ହୋଇଥିବା ସବୁ ମାଲ୍‌କୁ ସେ ସକାଳୁ ସକାଳୁ ସ୍ବତନ୍ତ୍ର ପ୍ୟାକେଟ୍‌ କରୁଥିବା ବେଳେ ଅବକାରୀ ସ୍କ୍ବାଡ୍ ସେଠାରେ ପହଞ୍ଚି ଯାଇଥିଲା। ଖୋର୍ଧା ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦେଶ‌ରେ ଆଇଆଇସି ପ୍ରଭାତ କୁମାର ସେଠୀ, ରଂଜନ ନାୟକ, ଏସ୍ଆଇ ଏଚସି ସାମନ୍ତ, ସୁବାସ ଚନ୍ଦ୍ର ମହାପାତ୍ର, ଏଏସ୍‌ଆଇ ସୁଜିତ ମୁଦୁଲି, ଅକ୍ଷୟ ଜେନା, ସୁମତି ମହାନ୍ତି, ଏସ୍‌ଏସ୍ ସାମନ୍ତସିଂହାର ପ୍ରମୁଖ ଏହି ଚଢ଼‌ଉରେ ସାମିଲ୍‌ ହୋଇଥିଲେ। ଅବସରପ୍ରାପ୍ତ ଆଇଆଇସି ଶରତଚନ୍ଦ୍ର ଭଂଜଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅବକାରୀ ସ୍କ୍ବାଡ୍‌ ପରିଚାଳିତ ହୋଇଥିଲା।

ସୂଚନାନୁସାରେ ସୁବଳ ଓଡ଼ିଶାରୁ ମାଲ୍ କିଣୁଥିଲେ ବି ତା’ର କାରବାର ଥିଲା ଓଡ଼ିଶା ବାହାରେ। ତେଣୁ ଓଡ଼ିଶା ପୁଲିସ ବା ଅବକାରୀ ବିଭାଗ ତା’ର କାରବାରର ଟେର୍ ପାଉନଥିଲା। ୫ ବର୍ଷ ପୂର୍ବେ ସେ ଥରଟିଏ ଦିଲ୍ଲୀ ପୁଲିସ ହାତରେ ଧରା ପଡ଼ିଥିଲା। ଆଜି ଅବକାରୀ ସ୍କ୍ବାଡ୍‌ ତାକୁ ଗିରଫ କରିବା ପରେ ତା’ ମୋବାଇଲ୍‌ ଜବତ କରିଥିଲା। ଏହା ପରେ ଦିଲ୍ଲୀ, କୋଲକାତା ଓ ଟାଟାରୁ ଉକ୍ତ ଫୋନ୍‌କୁ କଲ୍ ପରେ କଲ୍ ଆସିଥିଲା। ମାଲ୍ କେବେ ଆସୁଛି ବୋଲି ଏଜେଣ୍ଟମାନେ ଫୋନ୍‌ କରୁଥିବା ଜଣାପଡ଼ିଥିଲା। ପୁଅକୁ ଡାକ୍ତରୀ ପଢ଼ାଉଛି: ସୁବଳ ପ୍ରଚୁର ସମ୍ପତ୍ତିର ମାଲିକ ହୋଇସାରିଛି। ଏମିତିକି ସେ ତା’ ପୁଅକୁ ମେଡିକାଲ କଲେଜରେ ପଢ଼ାଉଥିବା ଜଣାପଡ଼ିଛି। କ୍ବିଣ୍ଟାଲ୍ ୧ ଲକ୍ଷ ୨୦ ହଜାର ଟଙ୍କାରେ କିଣି ସେ ପ୍ରାୟ ୮ଗୁଣ ଅଧିକ ଦରରେ ଅର୍ଥାତ୍ ପ୍ରାୟ ୮ ଲକ୍ଷ ଟଙ୍କାରେ ବିକୁଥିଲା। କୋଳଥିଆରେ ସେ ଦୁଇଟି ବଡ଼ ବିଲ୍ଡିଂ ଭଡ଼ାରେ ନେଇ ରଖିଥିଲା। ଗୋଟିଏ କୋଠାରେ ତା’ର ସ୍ତ୍ରୀ, ପୁଅ ଓ ଝିଅ ରହୁଥିବାବେଳେ ‌ସେଠାରୁ ଅଳ୍ପ ଦୂରେ ଥିବା ଅନ୍ୟ କୋଠାଟିକୁ ସେ ବ୍ୟବସାୟ ପାଇଁ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe