ଖଣ୍ଡଗିରି: ଗତକାଲି ରାତିରେ ଘଟିଥିବା ଜାଗମରା ଗୋଷ୍ଠୀ ସଂଘର୍ଷ ମାମଲାରେ ଖଣ୍ଡଗିରି ଥାନା ପୁଲିସ ଦୁଇ ପକ୍ଷରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗଣିଆ ଭୋଇ(୨୯), ଗୋରା ଭୋଇ(୩୮), ପ୍ରଶାନ୍ତ ଭୋଇ(୪୦), ମୁନା ଭୋଇ(୨୮), ହିରୁ ଭୋଇ(୨୦) ଓ ମଦନମୋହନ ପ୍ରଧାନ(୪୬)। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଗିରଫଦାରୀ ପରେ ବି ଗାଁରେ ଉତ୍ତେଜନା ଲାଗି ରହିଛି ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ତେବେ ଏହି ବିବାଦର ସମାଧାନ ପାଇଁ ଗାଁର କିଛି ଭଦ୍ରବ୍ୟକ୍ତି ଉଦ୍ୟମ କରୁଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ ଗାଁରେ ଏକ ଡ୍ରେନ୍ କାମ ଚାଲିଛି। ଏହି ଡ୍ରେନ୍ କାମକୁ ନେଇ ଗାଁର ଦୁଇ ପକ୍ଷ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟାବେଳେ ହଠାତ୍ ଦୁଇପକ୍ଷଙ୍କ ଭିତରେ ଗଣ୍ଡଗୋଳ ଲାଗି ଯାଇଥିଲା। ଢ଼େଲାପଥର ମାଡ଼ରେ ଗୋଟିଏ ପକ୍ଷରୁ ପ୍ରାୟ ୪ ଜଣ ଆହତ ହୋଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ୨ ପ୍ଲାଟୁନ୍ ଫୋର୍ସ ନେଇ ଘଟଣାସ୍ଥଳରେ ପହଁଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଆଇଆଇସି ହିମାଂଶୁ ଭୂଷଣ ସ୍ୱାଇଁ ନିଜ ଆଡ଼ୁ ମାମଲା ରୁଜୁ କରି ଉଭୟ ପକ୍ଷରୁ ଉପରୋକ୍ତ ୬ ଜଣଙ୍କୁ ଗିରଫ କରିଛନ୍ତି।
Follow Us