ହୁସେନ୍‌ସାଗର ହ୍ରଦକୁ ଡେଇଁ ଆତ୍ମହତ୍ୟା କରୁଥିବା ଯୁବତୀଙ୍କୁ ଉଦ୍ଧାର କଲେ ପୁଲିସ ଓ ଯବାନ

ହୁସେନ୍‌ସାଗର ହ୍ରଦକୁ ଡେଇଁ ଆତ୍ମହତ୍ୟା କରୁଥିବା ଯୁବତୀଙ୍କୁ ଉଦ୍ଧାର କଲେ ପୁଲିସ ଓ ଯବାନ

Image Courtesy of Deccan Chronicle

ହାଇଦ୍ରାବାଦ: ଶୁକ୍ରବାର ସକାଳ ୭ଟା ବେଳେ ଜଣେ ଯୁବତୀ ଆତ୍ମହତ୍ୟା କରିବା ପାଇଁ ହୁସେନ୍‌ସାଗର ହ୍ରଦକୁ ଡେଇଁ ପଡ଼ିବା ପରେ ଏକ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ ଡେଇଁ ପଡ଼ିବା ପରେ ପରେ ତାଙ୍କୁ ଉଦ୍ଧାର କରିବାକୁ ସେ ବାଟେ ଯାଉଥିବା ଆଉ ଦୁଇ ଜଣ ଲୋକ ମଧ୍ୟ ହ୍ରଦ ମଧ୍ୟକୁ ଡେଇଁ ପଡ଼ିଥିଲେ।

ସେ ଦୁଇ ସାହସୀ ବ୍ୟକ୍ତି ହେଉଛନ୍ତି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର ଜଣେ ଯବାନ ଏବଂ ଜଣେ ପୁଲିସ କନେଷ୍ଟବଳ। ଯୋଗକୁ ଦୁହେଁ ସେତିକି ବେଳେ ସେ ବାଟ ଦେଇ ଯାଉଥିଲେ। ପ୍ରଭାତ ପଥିକ ଏବଂ ଅଫିସ ଯାଉଥିବା ଲୋକମାନେ ଆବାକାବା ହୋଇ ଚାହିଁଥିବା ବେଳେ ସେ ଦୁହେଁ ଅନ୍ୟ କିଛି ନ ଭାବି ଯୁବତୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ।

publive-image
ସେ ଯୁବତୀ ଜଣକ ହେଉଛନ୍ତି ଗୋଦାବରୀଖାନିର ଜଣେ ୨୯ ବର୍ଷୀୟ ବିଏଡ୍‌ ସ୍ନାତକ। ପ୍ରଥମେ ସେ ଏ ଦୁହିଁଙ୍କ ଉଦ୍ଧାର ଉଦ୍ୟମକୁ ପ୍ରତିରୋଧ କରିଥିଲେ। ପ୍ରଥମେ ପାଣିକୁ ଡେଇଁ ଥିବା ଗାନ୍ଧୀନଗର ଥାନାର ପୁଲିସ କନେଷ୍ଟବଳ ଯାଦାଗିରି କହନ୍ତି ଯେ ସେ ନିଜ ବନ୍ଧୁମାନଙ୍କ ସହ ସକାଳବୁଲାରେ ଯାଇଥିବା ବେଳେ ଯୁବତୀଙ୍କୁ ଦେଖିଲେ। ସେ ଜୀବିତା ଥିଲେ ଏବଂ ତାଙ୍କୁ ବଞ୍ଚାଇ ହେବ ବିଚାରି ମୁଁ ପାଣିକୁ ଡେଇଁପଡ଼ିଲି। କିନ୍ତୁ, ସେ ପ୍ରତିରୋଧ କରୁଥିବାରୁ ମୋର ପାଣିରେ ସନ୍ତୁଳନ ରହୁ ନ ଥିଲା। ଫଳରେ ତାଙ୍କୁ ଟାଣି ଟାଣି ଆଣିବା ଥିଲା ଭାରି ଅସୁବିଧା।

ପାଟିତୁଣ୍ଡ ଶୁଣି, ମେଧିପଟନମ୍‌ସ୍ଥିତ ନିଜ ଅଫିସକୁ ଯାଉଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର କନେଷ୍ଟବଳ ଜନୈୟା ତାଙ୍କ ମଟରସାଇକେଲ୍‌ ଅଟକାଇ ତାଙ୍କର ସହାୟତା ଦରକାର କି, ବୋଲି ପଚାରିଥିଲେ। ସେ କହନ୍ତି: ମୁଁ ଦେଖିଲି ଯାଦାଗିରି ତାଙ୍କୁ ଏକା ପାଣିରୁ କାଢ଼ି ଆଣିବା ଭଳି ମନେହେଉନି। ଅଗତ୍ୟା ମୁଁ ମଧ୍ୟ ପାଣିକୁ ଡେଇଁଲି। ଉଭୟ ମିଶି ତାଙ୍କୁ ପାଣିରୁ ଉଦ୍ଧାର କଲୁ।

ସେ ପୁଣି କହନ୍ତି: ଉଦ୍ଧାର କାର୍ଯ୍ୟ ତିନିରୁ ଚାରି ମିନିଟ ଲାଗିଲା। ପାଣିକୁ ଡେଇଁବା ପୂର୍ବରୁ ମୁଁ ସେମାନଙ୍କ ଆଡ଼କୁ ଗୋଟାଏ କେବୁଲ୍‌ ରୋପ୍‌ ପକାଇଲି। ସେ ଯୁବତୀଙ୍କୁ ସଫଳତାର ସହ ଉଦ୍ଧାର କରାଗଲା। ତାଙ୍କର ଚେତା ଥିବାରୁ ଆଉ ସିପିଆର୍‌ ଆବଶ୍ୟକ ପଡ଼ିଲା ନାହିଁ।

publive-image
ନାମ ଗୋପନ ରଖାଯାଇଥିବା ସେ ଯୁବତୀଙ୍କୁ କାଉନ୍‌ସେଲିଙ୍ଗ୍‌ ଦେବା ପାଇଁ ଲେକ୍‌ ପୁଲିସ ଭରୋସା ସେଣ୍ଟରକୁ ପଠାଇଛି।

ପୁଲିସ ଜାଣିବାକୁ ପାଇଛି ଯେ ସେ ଜଣେ ସ୍ନାତକ। ପାଠ୍ୟପୁସ୍ତକ କିଣିବାକୁ ସହରକୁ ଆସିଥିବାବେଳେ ରସୁଲପୁର ନିବାସୀ ତାଙ୍କର ପୂର୍ବତନ ପ୍ରେମିକଙ୍କୁ ଭେଟିବାକୁ ସ୍ଥିର କରିଥିଲେ। ପ୍ରାୟ ୯ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଯୁବତୀଙ୍କର ବିବାହ ସ୍ଥିର ହୋଇ ଯିବାରୁ ଦୁହେଁ ପାରସ୍ପରିକ ବୁଝାମଣାରେ ସମ୍ପର୍କ ତୁଟାଇବାକୁ ସ୍ଥିର କରିଥିଲେ। କିନ୍ତୁ, ଶୁକ୍ରବାର ଦିନ ଉଭୟ ହୁସେନ୍‌ସାଗରସ୍ଥିତ ଲଭ୍‌ ହାଇଡ୍‌ ପଏଣ୍ଟରେ ଭେଟାଭେଟି ହୋଇଥିଲେ। କ’ଣ ହେଲା ଏବଂ କାହିଁକି ସେ ହ୍ରଦକୁ ଡେଇଁଲେ ସେ କଥା କେହି ଜାଣନ୍ତି ନାହିଁ।

ସାହସ ଏବଂ ଉପସ୍ଥିତ ବୁଦ୍ଧି ପାଇଁ ଉଚ୍ଚ ଅଧିକାରୀମାନେ ଦୁଇ ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା ଲେଖାଁଏ ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe