ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ମନ୍ଦିର ଭିତରେ ପଶି ଭଗବାନଙ୍କ ପୂଜା କରିବା ପରେ କଳସ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହି ଚୋରି ଘଟଣା ମନ୍ଦିର ପରିସରରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ ହୋଇଯାଇଥିଲା। ଯାହାକି ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଭାଇରାଲ ହୋଇଯାଇଛି।
ଏହି ଘଟଣା କାନପୁରର ନବାବଗଞ୍ଜ ଅଞ୍ଚଳସ୍ଥ ଏକ ମନ୍ଦିରରେ ଘଟିଛି। ରାତି ସମୟରେ ଜଣେ ଚୋର ସ୍କୁଟିରେ ନିଜର ଜଣେ ସାଙ୍ଗ ସହିତ ଏହି ମନ୍ଦିରରେ ଆସି ପହଞ୍ଚିଥିଲା। ସିସିଟିଭି ଫୁଟେଜରୁ ଜଣାପଡ଼ୁଛି, ପ୍ରଥମେ ଚୋର ମନ୍ଦିର ଗେଟ ଖୋଲିଥିଲା। ଏହାପରେ ମନ୍ଦିର ଭିତରେ ରଖାଯାଇଥିବା କଳସକୁ ଧରି ପାଣି ଆଣିବାକୁ ଯାଇଥିଲା। ଉକ୍ତ କଳସ ପାଣିକୁ ସେ ଭଗବାନ ଶିବଙ୍କୁ ଅର୍ପଣ କରିଥିଲା। ଏହାପରେ ପ୍ରଣାମ କରି ସେ ମନ୍ଦିରରେ ଲାଗିଥିବା ଘଣ୍ଟିକୁ କାଟିବାକୁ ଚେଷ୍ଟା କରିଥିଲା। ଯେମିତି ଉକ୍ତ ଘଣ୍ଟିଟି କଟି ନଥିଲା ସେ ତରବର ହୋଇ କଳସକୁ ବ୍ୟାଗରେ ପୁରାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଏହି ଚୋରି ଘଟଣା ସମ୍ପର୍କରେ ପୁଜାରି ଜାଣିବା ପରେ ମନ୍ଦିର ପ୍ରଶାସନ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହାପରେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ଚୋରର ସ୍କୁଟି ନମ୍ବର ଜରିଆରେ ପରିଚୟ ଖୋଜିବାକୁ ଉଦ୍ୟମ କରୁଛି।
Follow Us