Image Courtesy of India Today
ବେଙ୍ଗାଲୁରୁ: ଚାଷ ଜମିରୁ ‘ଦୁରାତ୍ମା ଘଉଡ଼ାଇବା’ ପାଇଁ ଜଣେ ୧୦ ବର୍ଷୀୟ ଝିଅକୁ ବଳି ଚଢ଼ାଇବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ରବିବାର ଦିନ ଗ୍ରାମୀଣ ବେଙ୍ଗାଲୁରୁରେ ଜଣେ ପୁରୋହିତଙ୍କ ସମେତ ୫ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସ ମାମଲା ରୁଜୁ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ଜୁନ୍ ୧୪ ତାରିଖ ଦିନ ନେଲାମଙ୍ଗଳା ନିକଟ ଗାନ୍ଧୀ ଗ୍ରାମରେ ଘଟିଥିଲା। ପିତାମାତା ମାଗାଡ଼ିରେ ରହି ମୂଲପାତି ଲାଗୁଥିବାରୁ ୪ର୍ଥ ଶ୍ରେଣୀରେ ପଢୁଥିବା ସେ ଝିଅଟି ତା’ ଜେଜୀମାଙ୍କ ପାଖରେ ରହୁଥିଲା। ଘଟଣା ଦିନ ତାଙ୍କ ଦୁଆର ମୁହଁରେ ଖେଳୁଥିବା ସେ ଝିଅଟିର ପିତାମାତା ପୁଲିସରେ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ପ୍ରସାଦ ଦେବା ବାହାନାରେ ପଡ଼ୋଶୀ ସାବିତ୍ରାମ୍ମା ଏବଂ ସୌମ୍ୟା ଝିଅକୁ ପାଖ ବିଲକୁ ନେଇଯାଇଥିଲେ। ସେଠାରେ ତାକୁ ଫୁଲମାଳ ପିନ୍ଧାଇ ପୂଜାପାଠ ଆରମ୍ଭ କରାଯାଇଥିଲା।
Image Courtesy of New Indian Expressଏଣେ ଜେଜୀମା’ ଝିଅକୁ ନ ପାଇ ଖୋଜାଖୋଜି କରୁଥିବା ବେଳେ ବିଲଆଡୁ ତା’ର ଚିତ୍କାର ଶୁଣିପାରିଥିଲା। ଝିଅକୁ ଧରି ୫ଜଣ ଅଭିଯୁକ୍ତ ପୂଜାପାଠ କରୁଥିଲେ ବୋଲି ବିଲରେ ପହଞ୍ଚି ଦେଖିଥିବା କଥା ଜେଜୀମା ପୁଲିସକୁ କହିଛନ୍ତି। ଝିଅଟିକୁ ଉଦ୍ଧାର କରାଯିବା ପରେ ସେ ସବୁକଥା ଫିଟାଇ କହିଥିଲା। କୌଣସି ଦୁରାତ୍ମା ଘଉଡ଼ାଇବାକୁ ସେମାନେ ତାକୁ ବଳି ଚଢ଼ାଇବାକୁ ଉଦ୍ୟମ କରୁଥିଲେ ବୋଲି ଝିଅଟିର କଥାରୁ ମନେହେଉଛି ବୋଲି ସେ କହିଛନ୍ତି।
ପଚରା ଉଚୁରା ବେଳେ ଅଟକଥିବା ୫ଜଣ ଅଭିଯୁକ୍ତ ସଫେଇ ଦେଇ କହିଛନ୍ତି ଯେ, ଭୂମିପୂଜନ ନିମନ୍ତେ ସେମାନେ ଝିଅଟିକୁ ବିଲକୁ ନେଇଥିଲେ। ବିଲରେ ମନ୍ଦିରଟିଏ ତୋଳିବା ଲାଗି ଅଭିଯୁକ୍ତମାନେ ଚାହାନ୍ତି। ତେଣୁ, ଜଣେ ନାବାଳିକାଦ୍ବାରା ପୂଜା କରାଇବା ଉଚିତ ବୋଲି ପୁରୋହିତ ସେମାନଙ୍କୁ ପରାମର୍ଶ ଦେଇଥିଲେ।
ମାମଲା ପ୍ରତ୍ୟାହାର କରିବା ନିମନ୍ତେ ଅଭିଯୁକ୍ତମାନେ ଧମକ ଦେଉଥିବା କଥା ପୀଡ଼ିତାଙ୍କ ପରିବାର ପୁଣି ଅଭିଯୋଗ କରିବାରୁ ପୁଲିସ ସେମାନଙ୍କ ବୟାନ ରେକର୍ଡ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us