ଲକ୍ଷ୍ନୌ: ପଶ୍ଚିମ ଉତ୍ତରପ୍ରଦେଶର କାଂସଗଞ୍ଜ ସହରରେ ଗୋଷ୍ଠୀ ସଂଘର୍ଷ ବେଳେ ମୃତ ଚନ୍ଦନ ଗୁପ୍ତାଙ୍କ ହତ୍ୟାକାଣ୍ଡ ସହ ଜଡ଼ିତ ଆଉ ଜଣେ ଅଭିଯୁକ୍ତକୁ ଆଜି ପୁଲିସ ଗିରଫ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଲିମ ଜାଭେଦ୍କୁ ପୁଲିସ ଗତ ବୁଧବାର ଧରିିଥିବା ବେଳେ ଆଜି କାସଗଞ୍ଜର ସ୍ମିଲପୁର ରୋଡ୍ ବାସିନ୍ଦା ରାହତ କୁରେସିକୁ ଗିରଫ କରିଛି। ଏହି ହିଂସାକାଣ୍ଡ ଘଟଣାରେ ଅଦ୍ୟାବଧି ପୁଲିସ ୧୧୮ ଜଣଙ୍କୁ ଗିରଫ କରିସାରିଛି ଏବଂ ଆହୁରି ଅନେକ ଅଭିଯୁକ୍ତଙ୍କୁ ଧରିବା ଲାଗି ତଲାସ ଜାରି ରହିଥିବା ଜଣାଯାଇଛି। ତେବେ ସାରା ସହରରେ ତଥାପି ଚାପା ଉତ୍ତେଜନା ଜାରି ରହିଥିବା ବେଳେ ବ୍ୟାପକ ପୁଲିସ ବଳ ପକ୍ଷରୁ ଗଳିକନ୍ଦିରେ ବି ତୀକ୍ଷ୍ଣ ନଜର ରଖାଯାଇଛି।
ସୂଚନା ଥାଉ କି, ଗତ ୨୬ ତାରିଖ ଜନରାଜ୍ୟ ଦିବସ ପାଳନ ବେଳେ ଏବିଭିପି ଏବଂ ଭିଏଚ୍ପି ପକ୍ଷରୁ କାସଗଞ୍ଜରେ ଚାଲିଥିବା ‘ତିରଙ୍ଗା ଯାତ୍ରା’କୁ ବଦୁନଗର ଠାରେ କିଛି ସ୍ଥାନୀୟ ଲୋକ ବିରୋଧ କରଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୀଷଣ ସଂଘର୍ଷ ଘଟିଥିଲା। ଉଭୟ ସମ୍ପ୍ରଦାୟ ମଧ୍ୟରେ ଢେଲାପଥର ମାଡ଼ରେ ଡଜନେରୁ ଅଧିକ ଗାଡ଼ି ଭଙ୍ଗାରୁଜା ହେବା ସହ ଗୁଳିମାଡ଼ରେ ଚନ୍ଦନ ଓରଫ ଅଭିଷେକ ଗୁପ୍ତା(୨୨)ଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ। ପରେ ଉତ୍ତେଜିତ ଲୋକେ ଦୋକାନ ଓ ବସ୍ରେ ନିଆଁ ଲଗାଇ ଦେଇଥିଲେ। ହିଂସାକାରୀ କାହାକୁ ଛଡ଼ାଯିବନି ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବରୁ ସତର୍କ କରାଇଦେଇଛନ୍ତି। ଅପରପକ୍ଷେ, ପୁଲିସର କାର୍ଯ୍ୟାନୁଷ୍ଠାନ ଅଭାବରୁ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି ବୋଲି ଶୁକ୍ରବାର ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ ସଂସଦରେ ଅଭିଯୋଗ ଆଣିଥିଲେ। ଏ ପଟେ ଚନ୍ଦନଙ୍କ ପରିବାରକୁ ଧମକ ମିଳୁଥିବା ଅଭିଯୋଗ ପାଇ ପୁଲିସ ସେମାନଙ୍କୁ ସୁରକ୍ଷା ଯୋଗାଇଦେଇଛି।
କାସଗଞ୍ଜ ହିଂସା: ଆଉ ଜଣେ ହତ୍ୟା ଅଭିଯୁକ୍ତ ଗିରଫ
Advertisment
Follow Us