ଖଣ୍ଡଗିରି: ନୂଆପଲ୍ଲୀ ଆଇଆର୍ସି ଭିଲେଜ୍ରେ ରହୁଥିବା ବ୍ୟବସାୟୀ ନିର୍ମଳ ଚନ୍ଦ୍ର ପଣ୍ଡାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ। କବାଟ ଭାଙ୍ଗି ଘରେ ପଶିବା ପରେ ଆଲ୍ମିରା ତାଡ଼ି ସୁନାଗହଣା, ଟଙ୍କା ପଇସା, ମୋବାଇଲ୍, ସିସିଟିଭି ହାର୍ଡଡିସ୍କ ଓ ଅନ୍ୟାନ୍ୟ ଜିନିଷ ଲୁଟି ନେଇଛନ୍ତି। ଅଭିଯୋଗ ପାଇବା ପରେ ନୂଆପଲ୍ଲୀ ଥାନା ପୁଲିସ ବ୍ୟବସାୟୀଙ୍କ ଘରେ ଛାନ୍ଭିନ୍ କରିଛି। କିନ୍ତୁ ଦୁର୍ବୃତ୍ତର ଟେର୍ ପାଇନାହିଁ। ତେବେ ପାଖ ଘରର ସିସିଟିଭି ଫୁଟେଜ୍ରେ କଏଦ୍ ହୋଇଥିବା ଦୁର୍ବୃତ୍ତର ଫଟୋ ପୁଲିସକୁ ସହାୟ ହେବ ବୋଲି ଆଶା କରାଯାଉଛି। ସୂଚନାନୁସାରେ ଆଇଆର୍ସି ଭିଲେଜ୍ ଏନ୍-୧- ୧୫୧ରେ ଢେଙ୍କାନାଳ ଜରଡ଼ା ଅଞ୍ଚଳର ବ୍ୟବସାୟୀ ନିର୍ମଳ ଚନ୍ଦ୍ର ପଣ୍ଡା ରହନ୍ତି। ଗତ ଶୁକ୍ରବାର ସେ ପରିବାର ସହିତ ଗାଁକୁ ଯାଇଥିଲେ। ଆଜି ସକାଳୁ ସେ ଘରକୁ ଫେରିବା ପରେ ମୁଖ୍ୟ କବାଟ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ନୂଆପଲ୍ଲୀ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ଘର ଭିତର ଯାଞ୍ଚ କରାଯାଇଥିଲା। ଘର ଭିତରେ ଆଲ୍ମିରା ତଡ଼ା ହୋଇଥିଲା ଓ ଭିତରୁ ସବୁ ଜିନିଷ ପତ୍ର ଘର ସାରା ବିଛାଡ଼ି ହୋଇ ପଡ଼ିଥିଲା। ଶ୍ରୀ ପଣ୍ଡାଙ୍କ ଅଭିଯୋଗ ଅନୁସାରେ, ଆଲ୍ମିରାରେ ୨ଟି ସୁନାଚେନ୍, କାନଫୁଲ, ମୁଦି, ସୁନା ଚୁଡ଼ି ଆଦି ଗହଣା ଥିଲା। ଚୋରି ହୋଇଥିବା ଗହଣାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ସେହିଭଳି ୨ଟି ଦାମୀ ମୋବାଇଲ୍ ଫୋନ୍ ଓ ସିସିଟିଭିର ହାର୍ଡଡିସ୍କ ଚୋରି ହୋଇଛି। ପ୍ରଥମେ ଏହା କୌଣସି ଏକ ଗ୍ୟାଙ୍ଗ୍ର କାଣ୍ଡ ବୋଲି ସନ୍ଦେହ କରାଯାଉଥିଲା। କିନ୍ତ ପାଖ ଘରର ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି ଯେ ଜଣେ ଦୁର୍ବୃତ୍ତ ଶ୍ରୀ ପଣ୍ଡାଙ୍କ ଘରେ ପଶି ଏହି କାଣ୍ଡ ଭିଆଇଛି। ତେବେ ଫୁଟେଜ୍ରେ ଦୁର୍ବୃତ୍ତର ମୁହଁ ସ୍ପଷ୍ଟ ଦେଖାଯାଉ ନାହିଁ। ବେଶ ପୋଷାକରୁ ଦୁର୍ବୃତ୍ତଜଣଙ୍କ ଜଣେ କୁଖ୍ୟାତ୍ ଲୁଟେରା ବୋଲି ଅନୁମାନ ଲଗାଇବା ସମ୍ଭବ ନୁହେଁ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ମାସକ ତଳେ ଏହି ଅଞ୍ଚଳରୁ ଜଣେ ପ୍ରଶାସନିକ ଅଧିକାରୀଙ୍କ ଘରୁ ଚୋରି ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us