Photo by : timesofindia.indiatimes.com
କଟକ/ବାରଙ୍ଗ : ବାରଙ୍ଗ ନରଣପୁର ଅଞ୍ଚଳରେ ଆଜି ସଂଧ୍ୟାରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ଡକାୟତି ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ପିଲାଙ୍କୁ ବାନ୍ଧି ଗୋଟିଏ ଘରେ ପୂରାଇ ଦେଇଥିବା ବେଳେ ପୁଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ଭୁଜାଲିରେ ହାଣି ଟଙ୍କା, ସୁନା ଲିଟି ନେଇଛନ୍ତି। ପୁଲିସ୍ ସ୍ପେଶାଲ୍ ବ୍ରାଞ୍ଚରେ ଏସ୍ଆଇ ଭାବେ କାର୍ଯ୍ୟ କରି ମାତ୍ର ଦୁଇ ମାସ ପୂର୍ବରୁ ଅବସର ନେଇଥିବା ବାବାଜୀ ରାଉତଙ୍କ ଘରେ ଏଭଳି ଘଟଣା ଘଟିଛି। ଦୁର୍ବୃତ୍ତମାନେ ତାଙ୍କ ଘରୁ ନଗଦ ୨୫ ହଜାର ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଗୁରୁତର ଅବସ୍ଥାରେ ବାବାଜୀ ଏବଂ ତାଙ୍କ ସ୍ତ୍ରୀଙ୍କୁ କଟକ ବଡ଼ ମେଡିକାଲ୍ର ଜରୁରିକାଳୀନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, କଟକ ସ୍ପେଶାଲ ବ୍ରାଞ୍ଚରେ ଏସ୍ଆଇ ଭାବେ କାର୍ଯ୍ୟ କରି ଦୁଇ ମାସ ପୂର୍ବରୁ ଅବସର ନେଇଥିବା ବାବାଜୀ ରାଉତ ପରିବାର ସହିତ ବାରଙ୍ଗ ତହସିଲ ଅନ୍ତର୍ଗତ ନରଣପୁର ଅଞ୍ଚଳରେ ଘର କରିି ରହୁଥିଲେ । ତାଙ୍କ ଘରଟି ନିଛାଟିଆ ଅଞ୍ଚଳରେ ହୋଇଥିବା ବେଳେ ଆଜି ରାତି ପ୍ରାୟ ୯ଟା ବେଳେ ପ୍ରାୟ ୬ ଜଣ ଦୁର୍ବୃତ୍ତ ଭୁଜାଲି ଏବଂ ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କ ଘରେ ପଶିଥିଲେ। ଦମ୍ପତ୍ତିଙ୍କୁ ଘରେ ପଶି ମାଡ଼ ମାରିବା ସହ ଭୁଜାଲିରେ ହାଣି ଥିଲେ। ତାଙ୍କର ପୁଅକୁ ବାନ୍ଧି ଗୋଟିଏ ଘରେ ପୂରାଇ ଦେଇଥିଲେ। ଘର ଭିତରେ ଆଲମିରା ଭାଙ୍ଗି ଟଙ୍କା, ସୁନା ଲୁଟି ନେଇଥିଲେ। ବାରଙ୍ଗ ଥାନା ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ବାବାଜୀଙ୍କ ଘରେ ପହଞ୍ଚି ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର ବଡ଼ ମେଡିକାଲକୁ ଆଣିଥିଲା।
Follow Us