ଆଇଏଏସ୍‌ଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

Advertisment
ଆଇଏଏସ୍‌ଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ବର : ଗୋପବନ୍ଧୁ ଛକ ତାରିଣୀ ମନ୍ଦିର ନିକଟରେ ଥିବା ଶିଳ୍ପ ନିର୍ଦେଶକ ଆଇଏଏସ୍‌ ପ୍ରଣବଜ୍ୟୋତି ନାଥଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଚୋରି ହୋଇଥିବା ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନା ମୁତାବକ, ଗତ ୧୯ ତାରିଖରେ ନିର୍ଦେଶକ ଶ୍ରୀ ନାଥ ଓ ତାଙ୍କ ପରିବାର ବାହାରକୁ ବୁଲିବାକୁ ଯାଇଥିଲେ। ତେବେ ୨୧ ତାରିଖ ସକାଳେ ଘରେ ପହଞ୍ଚି କବାଟ ‌ଖୋଲିବା ବେ‌ଳକୁ ଘରେ ଭିତରେ ଜିନିଷପତ୍ର ଏପଟ ସେପଟ ହୋଇ ପଡ଼ିଛି। ଆଲମିରାଗୁଡ଼ିକୁ ଭଙ୍ଗାଯାଇଛି। କେତେକ ରୢାକକୁ ଭଙ୍ଗାଯାଇଛି। ଘର କବାଟଗୁଡ଼ିକ ଠିକ୍‌ ଥିଲେ ମଧ୍ୟ ଘର ଭିତରେ ଜିନିଷ ଏପଟ ସେପଟ ହୋଇପଡ଼ିଥିବା ଏବଂ ଆଲମିରା ଭଙ୍ଗାଯାଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ତୁରନ୍ତ ଆଲମିରା ଲକର ଓ କେତେକ ଗୁପ୍ତ ସ୍ଥାନରେ ଖୋଜାଖୋଜି କରିଥିଲେ। କାରଣ କିଛିଦିନ ତଳେ ଶ୍ରୀ ନାଥ ଗାଡ଼ି କିଣିବା ପାଇଁ ୫ଲକ୍ଷ ଟଙ୍କା ଉଠାଇଥିଲେ। ହେଲେ ଆଲମିରା ଲକର ଓ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ ମଧ୍ୟ ଟଙ୍କା କି ସୁନା ଗହଣା କିଛି ପାଇ ନଥିଲେ। ତେବେ ଘର ପଛପଟ ଝରକା କଟାଯାଇଥିବା ଦେଖି ନାଥଙ୍କ ପରିବାଲୋକ ଘଟଣା ବିଷୟରେ ଜାଣିପାରି ଥିଲେ। ତୁରନ୍ତ ନୂଆପଲ୍ଲୀ ଥାନା ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ବିଭିନ୍ନ ଦିଗ ଉପରେ ଯାଞ୍ଚ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ଲୋଡ଼ିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା। ‌ତେବେ ଦୁଇଜଣ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ସତ୍ବେ ଚୋରି ନେଇ ପୁଲିସ ସନ୍ଦେହ କରିଛି। ସେମାନଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ସୋମବାର ଦିନ ପୁଲିସ ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା ପରେ ଛାଡ଼ିଦେଇଛି। ତେବେ ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଉମାକାନ୍ତ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe