www.jagran.com
ନାଳନ୍ଦା: ବିହାରର ନାଳନ୍ଦାରେ ସୋମବାର ଏକ ପ୍ରେମୀଯୁଗଳ ଥାନା ପରିସରରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୌଭାଗ୍ୟବଶତଃ ଦୁହିଁଙ୍କ ପାଖରେ ପୁଲିସ ଠିକ୍ ସମୟରେ ପହଞ୍ଚି ଯିବାରୁ ଯୁବକ ଓ ଯୁବତୀଙ୍କ ଜୀବନ ବଞ୍ଚି ଯାଇଥିଲା। ସଙ୍ଗେସଙ୍ଗେ ଉକ୍ତ ପ୍ରେମୀଯୁଗଳଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଏଭଳି ଏକ ଅଭାବନୀୟ ଘଟଣା ବିହାରର ସରିଫସ୍ଥିତ ସୋହସରାଏ ଥାନା ପରିସରରେ ଘଟିଛି। ପ୍ରେମୀଯୁଗଳଙ୍କ କହିବାନୁସାରେ, ଦୁହିଁଙ୍କ ମଧ୍ୟରେ ପାଖାପାଖି ତିନି ବର୍ଷ ହେବ ପ୍ରେମ ସମ୍ପର୍କ ରହି ଆସିଛି। ଦୁହେଁ ଭିନ୍ନଭିନ୍ନ ଜାତିର ଥିବାରୁ ପରିବାର ଲୋକ ସେମାନଙ୍କ ସମ୍ପର୍କକୁ ନେଇ ଅସନ୍ତୋଷ ରହିଥିଲେ। ତେଣୁ ଫେବ୍ରୁଆରିରେ ଦୁହେଁ ଘରୁ କାହାରିକୁ କିଛି ନଜଣାଇ ଚାଲି ଆସିଥିଲେ। ଏହାପରେ ଯୁବକଙ୍କ ବିରୋଧରେ ଯୁବତୀଙ୍କ ପରିବାରଲୋକ ଥାନାରେ ଅପହରଣ ମାମଲା ରୁଜୁ କରିଥିଲେ।
ଗତ ରବିବାର ଦୁହେଁ ହଠାତ ଥାନାରେ ପହଞ୍ଚି ଯାଇଥିଲେ। ପଚରାଉଚରା ପରେ ପୁଲିସ ଯୁବକଙ୍କୁ କୋର୍ଟରେ ହାଜର କରିବା ସହିତ ଯୁବତୀଙ୍କୁ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲା।
ସୋମବାର ଯୁବକଙ୍କୁ ଯେତେବେଳେ କୋର୍ଟ ନିଆଯାଉଥିଲା ଯୁବତୀ ସେହି ସମୟରେ ଥାନାରେ ପହଞ୍ଚି ଯାଇଥିଲେ। ସେଠାରେ ହାଏ ଭୋଲଟେଜ ଡ୍ରାମା କରିବା ପରେ ଉକ୍ତ ପ୍ରେମୀଯୁଗଳ ସେଠାରେ ଓଢ଼ଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ।
ପୁଲିସ ଦୁହିଁଙ୍କୁ ଉଠିତ ସମୟରେ ଉଦ୍ଧାର କରି ନେଇଥିଲା। ଆତ୍ମହତ୍ୟା ଉଦ୍ୟମ ପରେ ଦୁହେଁ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ଚିକିତ୍ସା ପାଇଁ ଉକ୍ତ ପ୍ରେମୀଯୁଗଳଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
Follow Us