ଲକ୍ଷ୍ମୌ: ସମୟ ଏମିତି ହେଲାଣି କି ବୋଧ ହୁଏ ଧୀରେଧୀରେ ସମସ୍ତ ସମ୍ପର୍କ ଉପରୁ ଲୋକଙ୍କ ବିଶ୍ବାସ ତୁଟିଯିବ। କାରଣ କିଛିଦିନ ହେବ ସ୍ବାମୀ ସ୍ତ୍ରୀକୁ, ସ୍ତ୍ରୀ ସ୍ବାମୀଙ୍କୁ, ବାପା ଝିଅକୁ, ଝିଅ ମାକୁ, ମା’ ଝିଅକୁ ହତ୍ୟା କରିବା ଘଟଣା ସାମ୍ନାକୁ ଆସୁଛି। ଥରେ ଭାବି ଦେଖନ୍ତୁ ତ ଏମିତି ଘଟଣା ପରେ କାହାର ଆଉ କେଉଁ ସମ୍ପର୍କ ଉପରେ ବିଶ୍ବାସ ରହିବ କି?
ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ମୌରୁ ଏମିତି ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ଏଠାରେ ଜଣେ ମା’ ପ୍ରେମିକ ପାଇଁ ତାର ଜନ୍ମ କଲା ସନ୍ତାନକୁ ହତ୍ୟା କରିବା ପାଇଁ ବି ପଛାଇନାହିଁ। ଏହି ଘଟଣାରେ ପୁଲିସ ଝିଅ ହତ୍ୟାକାରୀ ମା’କୁ ଗିରଫ କରିଛି। ଗିରଫ ମହିଳା ନାମ ରୋସନି ଥିବା ଜଣାପଡ଼ିଛି।
ଗିରଫ ରୋସନିକୁ ପଚରାଉଚରା ସମୟରେ ସେ କହିଥିଲା, ‘ମୋର ଝିଅ ମୋତେ ପ୍ରେମିକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲା। କାଳେ ସେ ଏ ବିଷୟରେ କାହାକୁ କିଛି କହିଦେବ ସେ ଭୟରେ କିଛି ଉପାୟ ନପାଇ ତାକୁ ମୁଁ ହତ୍ୟା କରି ଦେଇଥିଲି।’
ସୂଚନାଯୋଗ୍ୟ, ୫ବର୍ଷର ଝିଅକୁ ହତ୍ୟା କରିବା ପରେ ରୋସନି ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ମିଥ୍ୟା କାହାଣୀ ବଖାଣି କହିଥିଲା କି ତାଙ୍କ ସ୍ବାମୀ ଶାହରୁଖ ଝିଅକୁ ହତ୍ୟା କରି ଦେଇଛନ୍ତି। ଏହି ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତରୁ ପୁଲିସକୁ ଶାହରୁଖଙ୍କ ଅପେକ୍ଷା ରୋସନିର ସ୍ବଭାବ ଉପରେ ସନ୍ଦେହ ହୋଇଥିଲା। ତେଣୁ ତାକୁ ଥାନାକୁ ଉଠାଇ ନେଇ ପଚାରାଉଚରା କରିଥିଲା। ଏହି ସମୟରେ ରୋସନି ପ୍ରଥମେ ନିଜ ଦୋଷ ଘୋଡ଼ାଇବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ପରବର୍ତ୍ତି ସମୟରେ ଝିଅକୁ ହତ୍ୟା କରିଥିବା ପୁଲିସ ସମ୍ମୁଖରେ ସ୍ବୀକାର କରିଥିଲା।
Follow Us