ଜୟପୁର: ଅଲୱରରେ ଘଟିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଝିଅ ଦୁଷ୍କର୍ମର ଶିକାର ହେବା ପରେ ବାପାକୁ ଦୁର୍ଘଟଣା ହୋଇଥିବା କହିବାକୁ ବାଧ୍ୟ କଲା ପୁଲିସ। ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ପୁଣି ଥରେ ପୁଲିସର ପୋଷାକ ଉପରେ କଳା ଦାଗ ଲାଗିଛି। ଝିଅ ସହ ଦୁଷ୍କର୍ମ ନୁହେଁ ବରଂ ଦୁର୍ଘଟଣା ପାଇଁ ତାକୁ ଆଘାତ ଲାଗିଥିବା କହିବାକୁ ପୁଲିସ ପୀଡ଼ିତାଙ୍କ ବାପାଙ୍କୁ ବାଧ୍ୟ କରିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୀଡ଼ିତାଙ୍କ ବାପା ଏନେଇ ଅଭିଯୋଗ କରିବା ସହ ପୁଲିସ ଠିକ ଭାବରେ ତଦନ୍ତ କରୁନଥିବା କହିଛନ୍ତି।
ପୀଡ଼ିତାଙ୍କ ବାପା ଦେଇଥିବା ବୟାନ ଅନୁଯାୟୀ, ଏହା ଏକ ଦୁର୍ଘଟଣା ଥିଲା ବୋଲି ସ୍ୱୀକାର କରିବାକୁ ପୁଲିସ ଆମକୁ ବାଧ୍ୟ କରୁଛି। ଆମେ ଭୟଭୀତ ଏବଂ କେବଳ ନ୍ୟାୟ ଚାହୁଁଛୁ। ଯେତେବେଳେ ଆମେ ଝିଅକୁ ଡାକ୍ତରଖାନା ନେଇଥିଲୁ, ଗୁପ୍ତାଙ୍ଗରେ ଲାଗିଥିବା ଆଘାତ ଦେଖି ସେ ଦୁଷ୍କର୍ମର ଶିକାର ହୋଇଥିବା କହିଥିଲେ ଡାକ୍ତର। ଏହା ପରେ ଝିଅକୁ ସେ ଅଲଗା ଡାକ୍ତରଖାନା ନେବାକୁ କହିଥିଲେ। ବଡ଼ ଡାକ୍ତରଖାନା ନେବା ପରେ ସେଠାରେ ଝିଅର ସର୍ଜରୀ କରାଗଲା। ବର୍ତ୍ତମାନ ପୁଲିସ କର୍ମଚାରୀମାନେ ଏହାକୁ ଏକ ଦୁର୍ଘଟଣା ଭାବରେ ଗ୍ରହଣ କରିବାକୁ କହୁଛନ୍ତି। ଆମେ ପୁଲିସର ଏ କଥାରେ ସହମତ ନାହୁଁ। ଆମକୁ ଫରେନସିକ୍ ସାଇନ୍ସ ଲାବୋରେଟୋରୀ ରିପୋର୍ଟର ସବିଶେଷ ତଥ୍ୟ ମଧ୍ୟ ଦିଆଯାଇ ନାହିଁ। ଦୁର୍ଘଟଣା ବୋଲି ଗ୍ରହଣ କଲେ ଆମକୁ ଅଧିକ ଟଙ୍କା ମିଳିବ ବୋଲି ପୁଲିସ କହୁଛି।
ଅନ୍ୟପକ୍ଷରେ ପୀଡ଼ିତାଙ୍କ ବାପା ଲଗାଇଥିବା ଆରୋପ ଉପରେ ପୁଲିସର ପ୍ରତିକ୍ରିୟା ମଗାଯାଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Follow Us