ଭୁବନେଶ୍ୱର : ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ସହ ୮ ହଜାର ଟଙ୍କା ଜରିମାନା

Advertisment
୨ ଦାଦନଙ୍କ ହାତ କାଟିବା ଘଟଣା: ଶେଷ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

Photo Credit: Representative Image

ଭୁବନେଶ୍ୱର : ଏକ ହତ୍ୟା ମାମଲାର ବିଚାର କରି ଆଜି ତୃତୀୟ ଅତିରିକ୍ତ ଦୌରାଜଜ୍‌ ଲୁନା ମହାନ୍ତି ଖୋର୍ଦ୍ଧା ପିତାପଲ୍ଲୀର ସୌମ୍ୟରଞ୍ଜନ ସ୍ବାଇଁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାବ୍ୟତୀତ ଅଭିଯୁକ୍ତକୁ ୮ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୪ ମାସ ଦଣ୍ଡ ଭୋଗିବା ପାଇଁ ଆଦେଶ ହୋଇଛି। ୨୩ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ ଆଧାରରେ ବିଚାରପତି ଏହି ରାୟ ଦେଇଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ଥିବାରୁ ମାମଲାର ବିଚାର କିଶୋର ନ୍ୟାୟ ବୋର୍ଡ (ଜେଜେବି) କରୁଛି।

ସୂଚନା ମୁତାବକ, ୨୦୧୪ ମେ’ ୩୧ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଜଟଣୀର ଏସ୍‌. ନନ୍ଦେଶ୍ବର ରାଓ ନିଜ ବାହାଘର କାର୍ଡ ବାଣ୍ଟିବା ପାଇଁ ବାଇକ୍‌ ଯୋଗେ ଖୋର୍ଦ୍ଧା ଯାଉଥିଲେ। ତାଙ୍କର ଜଣେ ବନ୍ଧୁ କୃଷ୍ଣ ପ୍ରସାଦ ରାମ ବାଇକ୍‌ ଚଳାଉଥିବା ବେଳେ ନନ୍ଦେଶ୍ବର ବସିଥିଲେ। ସନ୍ଧ୍ୟା ପ୍ରାୟ ୬ଟା ବେଳେ ସେମାନେ ପିତାପଲ୍ଲୀ ଛକରେ ପହଞ୍ଚିଥିଲେ। ସେଠାରେ ସୌମ୍ୟରଞ୍ଜନ ଓ ଅନ୍ୟ ଜଣେ ନାବାଳକ ସେମାନଙ୍କ ବାଟ ଓଗାଳି ‘ଆମକୁ କଣ କମେଣ୍ଟ କଲ!’ ବୋଲି ପଚାରିଥିଲେ। ନନ୍ଦେଶ୍ବର ଓ ତାଙ୍କ ସାଙ୍ଗ କୃଷ୍ଣ ଏହି ଦୁଇଜଣଙ୍କୁ କମେଣ୍ଟ ମାରି ନ ଥିବା କହିଥିଲେ। ଅନ୍ୟ କିଛି କଥା‌ରେ ସେମାନେ ହସି ହସି ଯାଉଥିଲେ ବୋଲି ସେମାନଙ୍କୁ କହିଥିଲେ ମଧ୍ୟ ଉଭୟ ନ ଶୁଣି ନନ୍ଦେଶ୍ବର ଓ କୃଷ୍ଣଙ୍କୁ ପିଟିଥିଲେ। ସେଠାରେ ଥିବା କିଛି ବ୍ୟବସାୟୀ ଓ ସ୍ଥାନୀୟ ଲୋକ ସେମାନଙ୍କୁ ବୁଝାସୁଝା କରି ପଠାଇ ଦେଇଥିଲେ। ହେଲେ କିଛି ବାଟ ଯିବା ପରେ ଏକ ନିଛାଟିଆ ସ୍ଥାନରେ ସୌମ୍ୟରଞ୍ଜନ ପଛପଟୁ ଏକ ବହ୍ଲାରେ ନନ୍ଦେଶ୍ବରଙ୍କ ମୁଣ୍ଡକୁ ପିଟି ଦେଇଥିଲା। ସେମାନେ ବାଇକ୍‌ ସହ ଖଣ୍ଡେ ଦୂରରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ନନ୍ଦେଶ୍ବରଙ୍କର ମୃତ୍ୟୁ ହୋଇଥିବା ବେଳେ କୃଷ୍ଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ନନ୍ଦେଶ୍ବରଙ୍କୁ ମୃତ ଘୋଷଣା କରିଥିଲେ। ନନ୍ଦେଶ୍ବରଙ୍କ ଭାଇ ଏସ୍. ଗୋବିନ୍ଦ ରାଓଙ୍କ ଏତଲାକୁ ଆଧାର କରି ଜଟଣୀ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସୌମ୍ୟକୁ ଗିରଫ କରିଥିଲା। ବହ୍ଲାରେ ଲାଗିଥିବା ରକ୍ତ, ଜବତ କପଡ଼ାରୁ ସଂଗୃହୀତ ରକ୍ତ ନମୁନା ନନ୍ଦେଶ୍ବରଙ୍କର ବୋଲି ପ୍ରମାଣିତ ହୋଇଥିଲା। ନନ୍ଦେଶ୍ବରଙ୍କର ବାହାଘର ମାତ୍ର ୭ ଦିନ ଥିଲା। ସେତେବେଳେ ଏହି ଘଟଣା ପରିବାରଲୋକଙ୍କୁ ସ୍ତବ୍ଧ କରି ଦେଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ପ୍ରଦୀପ୍ତ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe