ନୂଆଦିଲ୍ଲୀ: ବିହାରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୁଲିସ କର୍ମଚାରୀମାନେ ଥାନାକୁ ଲାଗି ଥିବା ବ୍ୟାରେକରେ ଶୋଇଥିବା ବେଳେ ଜଣେ ଯୁବକ ଥାନାରେ ନିଆଁ ଲଗାଇ ଦେଇଥିଲେ। ସୌଭାଗ୍ୟବଶତଃ ସମୟ ଥାଉଥାଉ ପୁଲିସକର୍ମଚାରୀମାନେ ଏହି ନିଆଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ସୂଚନାଯୋଗ୍ୟ, ଦରଭଙ୍ଗା ଜିଲ୍ଲାର ମୋରୋ ଥାନାକୁ ଧର୍ମେନ୍ଦ୍ର ଠାକୁର ଭାଇ ହଜି ଯାଇଥିବାର ଅଭିଯୋଗ ନେଇ ଆସିଥିଲେ। କିନ୍ତୁ କୌଣସି କାରଣରୁ ଉକ୍ତ ଯୁବକଙ୍କ ଅଭିଯୋଗ ଥାନାରେ ରୁଜୁ ହୋଇ ପାରି ନଥିଲା। ଏହି କାରଣରୁ ଧର୍ମେନ୍ଦ୍ର ରାଗି ଯାଇ ଘରକୁ ନଯାଇ ଥାନା ଆଖପାଖରେ ବୁଲୁଥିଲେ।
ରାତିରେ ଥାନାକୁ ଲାଗି ଥିବା ବ୍ୟାରେକରେ ଯେତେବେଳେ ପୁଲିସ କର୍ମଚାରୀଙ୍କୁ ଧର୍ମେନ୍ଦ୍ର ଶୋଇଥିବା ଦେଖିଥିଲେ ତାଙ୍କ ରାଗ ଆହୁରି ବଢ଼ି ଯାଇଥିଲା। ତେଣୁ କେଉଁଠାରୁ ସେ କିରୋସିନ ଆଣି ଥାନା ଉପରେ ଢ଼ାଳି ସଙ୍ଗେସଙ୍ଗେ ନିଆଁ ଲାଗାଇ ଦେଇଥିଲେ। ଆଉ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଘଟଣାପରେ ଥାନା ପରିସରରେ କୋକୁଆ ଭୟ ଖେଳି ଯାଇଥିଲା।
ସୌଭାଗ୍ୟବଶତଃ ଶୋଇଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କ ନିଦ ଭାଙ୍ଗି ଯିବାରୁ ସେ ନିଆଁ ନିଆଁ କରି ଚିତ୍କାର କରିବା ପରେ ସମସ୍ତେ ଉଠି ପଡ଼ିଥିଲେ। ଆଉ ଅଳ୍ପକେ ଦୁର୍ଘଟଣାସ୍ଥଳରେ ଥିବା ପୁଲିସ କର୍ମଚାରୀଙ୍କ ଜୀବନ ବର୍ତ୍ତି ଯାଇଥିଲା।
ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଏସପି ସମେତ ବଡ଼ବଡ଼ ପୁଲିସ ଅଧିକାରୀ ଥାନାରେ ପହଞ୍ଚିଥିଲେ। ସିସିଟିଭିକୁ ଆଧାର କରି ଅଭିଯୁକ୍ତଙ୍କ ପରିଚୟ ଜାଣିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ଧର୍ମେନ୍ଦ୍ରଙ୍କୁ ଏହି ଘଟଣାରେ ସହଯୋଗ କରିଥିବା ଅରୁଣ ଯାଦବ ଫେରାର ଅଛନ୍ତି। ଅରୁଣଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।
Follow Us