ଘରୋଇ କଳିରେ ରାଗିଯାଇ ଝିଅକୁ ୨୫ରୁ ଅଧିକ ଥର ଛୁରି ଭୁସି ହତ୍ୟାକଲେ ବାପା

ଘରୋଇ କଳିରେ ରାଗିଯାଇ ଝିଅକୁ ୨୫ରୁ ଅଧିକ ଥର ଛୁରି ଭୁସି ହତ୍ୟାକଲେ ବାପା

Image Courtesy of India Today

ସୁରତ: ଘରୋଇ ବିବାଦରେ ରାଗିଯାଇ ତାଙ୍କ ଝିଅକୁ ୨୫ରୁ ଅଧିକ ଥର ଛୁରି ଭୁସି ହତ୍ୟା ଏବଂ ସ୍ତ୍ରୀଙ୍କୁ ଆହତ କରିଥିବା ଗୁଜରାଟର ସୁରତ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

ମେ ୧୮ ତାରିଖ ରାତିରେ ସୁରତର କଦୋଦରା ଅଞ୍ଚଳରେ ଘଟିଥିବା ଏହି ଘଟଣାର ‘ସିସିଟିଭି ଫୁଟେଜ୍‌’ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସ୍ତ୍ରୀ ରେଖାଙ୍କ ଅଭିଯୋଗକୁ ଆଧାର କରି ହତ୍ୟାକାଣ୍ଡର ଦୁଇ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ହତ୍ୟାକାରୀ ରାମାନୁଜ ସୁରତର ସତ୍ୟ ନଗର ସୋସାଇଟିରେ ଗୋଟାଏ ଭଡ଼ା ଆପାର୍ଟମେଣ୍ଟ୍‌ରେ ସପରିବାର ବାସ କରୁଥିଲେ। ଝିଅ ଛାତରେ ଶୋଇବା କଥାକୁ ନେଇ ରାମାନୁଜ ଓ ସ୍ତ୍ରୀ ରେଖାଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ହଠାତ୍‌ ଯୁକ୍ତିତର୍କ ଉଗ୍ର ହୋଇ ହିଂସାକାଣ୍ଡରେ ପରିଣତ ହେଲା।

ରାତି ପ୍ରାୟ ୧୧.୨୦ରେ ‘ସିସିଟିଭି’ରେ ଉତ୍ତୋଳିତ ‘ଫୁଟେଜ୍‌’ରେ ଦେଖାଯାଉଛି, ପିଲାମାନଙ୍କ ସାମ୍‌ନାରେ ରାମାନୁଜ ଗୋଟାଏ ଛୁରି ଧରି ସ୍ତ୍ରୀ ରେଖାଙ୍କୁ ଆକ୍ରମଣ କରୁଛନ୍ତି। ମାଆ ଆହତ ହେବା ଦେଖି ପିଲା‌ମାନେ ଆକ୍ରମଣକାରୀ ବାପାଙ୍କୁ ମାଡ଼ିବସି କିଛି ସମୟ ପାଇଁ କାବୁ କରିପକାଇଲେ। କିନ୍ତୁ, ପିଲାଙ୍କ କବଳରୁ ମୁକ୍ତ ହୋଇ ବାପା ରାମାନୁଜ ଯିଏ ହାବୁଡ଼ରେ ପଡ଼ିଲା ତାକୁ ଆକ୍ରମଣ କରିବାକୁ ଉଦ୍ୟତ ହେଲେ।

ଏଭଳି ଗୋଳମାଳିଆ ପରିସ୍ଥିତିରେ ରାମାନୁଜଙ୍କ ହାବୁଡ଼ରେ ପଡ଼ିଲା ଝିଅ। ଝିଅକୁ ଧରିପକାଇ ବାପା ରାମାନୁଜ ନିର୍ବିଚାର ଭାବେ ଛୁରି ଭୁସି ଚାଲିଲେ। କୌଣସି ମତେ ବାପାଙ୍କ ହାତରୁ ଖସି ଝିଅ ପାଖ କୋଠରିକୁ ପଶିଗଲା। ବାପା ରାମାନୁଜ ବି ପଛେ ପଛେ ସେ କୋଠରିକୁ ଯାଇ ଝିଅକୁ ବହୁବାର ଛୁରି ଭୁସି ମାରି ପକାଇଲେ।

ଏହାପରେ, ସ୍ତ୍ରୀ ରେଖାଙ୍କୁ ଆକ୍ରମଣ କରିବା ପାଇଁ ରାମାନୁଜ ଛାତ ଉପରକୁ ଗଲେ। କିନ୍ତୁ, ମାଆଙ୍କୁ ରକ୍ଷା କରିବାକୁ ଆପ୍ରାଣ ଉଦ୍ୟମ କରି ପିଲାମାନେ ବାପା ରାମାନୁଜଙ୍କୁ ବାଧା ଦେଲେ ଓ ଆହତ ବି ହେଲେ।

ଘଟଣା ସଂକ୍ରାନ୍ତରେ ସୁରତ ପୁଲିସକୁ ଅବଗତ କରାଯିବା ପରେ ସେମାନେ ତୁରନ୍ତ ତଦନ୍ତ ଆରମ୍ଭ କରି ରାମାନୁଜଙ୍କୁ ଗିରଫ କଲେ। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିଟିକୁ ବି ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe