ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର କେବଟପୁର ଗ୍ରାମପଞ୍ଚାୟତର ଭଖୁରୀ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଗତ୧୦ଦିନ ଧରି ବ୍ରତ ଓ ଉପବାସ କରିବା ପରେ ଗତ ଶୁକ୍ରବାର ଦୁର୍ଗା ଅଷ୍ଟମୀ ଦିନ ବିଜୟଶନ ଦେବୀଙ୍କ ମନ୍ଦିରରେ ଗଳା କାଟି ବଳି ଦେବାକୁ ଉଦ୍ୟମ କରିଥିଲେ। ଏହି ଉଦ୍ୟମରେ ଯୁବକଙ୍କ ଗଳାରୁ ଅଜସ୍ର ରକ୍ତସ୍ରାବ ହୋଇଥିଲା। ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ଓ ପୂଜାରୀ ଯୁବକଙ୍କୁ ଅଟକାଇ ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଏଥିସହିତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ସଙ୍ଗେସଙ୍ଗେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଅଜୟଗଡ଼ରର ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲା। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଯୁବକଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ଏହି ଘଟଣାକୁ ନେଇ ଆହତ ଯୁବକଙ୍କ ମା’କହିଛନ୍ତି, ‘ମୋର ପୁଅ ଗତ ୫ବର୍ଷ ହେବ ତାକୁ ଦେବୀ ମା’ ଲାଗୁଛନ୍ତି ବୋଲି ଦାବି କରି ଆସୁଛି। ସେ ନବରାତ୍ରିର ବ୍ରତ ବି ରଖିଥିଲା। ଦୁର୍ଗା ଅଷ୍ଟମୀ ଦିନ ସେ ଏପରି ଏକ ପଦକ୍ଷେପ ନେଇ ଯିବ ତାହା ଆମେ ଚିନ୍ତା ବି କରି ନଥିଲୁ।’