Advertisment

କନ୍ଧମାଳରୁ ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର

Advertisment

ଅଟୋରୁ ଅପହରଣକାରୀ ଓ ଛାତରୁ ଡେଇଁ ମା ଫେରାର୍‌

ଅଟୋରୁ ଅପହରଣକାରୀ ଓ ଛାତରୁ ଡେଇଁ ମା ଫେରାର୍‌

କନ୍ଧମାଳରୁ ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର

Photo by : ctechguyana.com

ଖଣ୍ଡଗିରି : କନ୍ଧମାଳରୁ ଅପହରଣ ହୋଇଥିବା ଜଣେ ନାବାଳିକାକୁ ଶୁକ୍ରବାର ସନ୍ଧ୍ୟାରେ ଖଣ୍ଡଗିରି ଥାନା ପୁଲିସ ରାଜଧାନୀର ଭରତପୁର ଅଞ୍ଚଳରୁ ଉଦ୍ଧାର କରିଛି। ରାଜ୍ୟ ବାହାରକୁ ଚାଲାଣ କରିବାକୁ ଯୋଜନା କରିଥିବା ଅପହରଣକାରୀ ଓ ତାଙ୍କ ମା କିନ୍ତୁ ଚଢ଼ାଉବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ଅଟୋରୁ ଡେଇଁ ଅପହରଣକାରୀ ବଣ୍ଟି ସାହାଣୀ ଖସି ପଳାଇଥିବାବେଳେ ବଣ୍ଟିର ମା ଛାତରୁ ଡେଇଁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଖବର ପାଇ କନ୍ଧମାଳ ପୁଲିସ ଖଣ୍ଡଗିରିରେ ପହଞ୍ଚି ନାବାଳିକାକୁ ପଚରାଉଚରା ଚଳାଇଛି। ଶନିବାର ତାଙ୍କୁ କନ୍ଧମାଳ ନେଇ ଅଦାଲତରେ ହଜାର କରାଯିବ ବୋଲି ସୂଚନା ମିଳିଛି। ଦୀର୍ଘ ୩ ମାସ ପରେ ନାବାଳିକାକୁ ଉଦ୍ଧାର କରାଯାଇଥିବାରୁ କନ୍ଧମାଳ ପୁଲିସକୁ ଆଶ୍ୱସ୍ତି ମିଳିଛି।

ଘଟଣାଟି ଏମିତି। ଗତ ଜୁଲାଇ ମାସ ୧୨ ତାରିଖରେ କନ୍ଧମାଳ ଟାଉନ୍‌ ଥାନା ଅନ୍ତର୍ଗତ ଅଞ୍ଚଳରୁ ଏହି ଦଶମ ଶ୍ରେଣୀର ଛାତ୍ରୀ ସୁମି(ଛଦ୍ମନାମ)କୁ ଅପହରଣ କରାଯାଇଥିଲା। ଏନେଇ ସୁମିଙ୍କ ପରିବାର ପକ୍ଷରୁ ଟାଉନ୍‌ ଥାନାରେ ଏକ ଅଭିଯୋଗ ହୋଇଥିଲା। ସୁମି କାହାକୁ ଭଲ ପାଇ ପଳାଇଛି ବୋଲି ପ୍ରଥମରୁ ଉଭୟ ପୁଲିସ ଓ ପରିବାର ଲୋକେ ଧରି ନେଇଥିଲେ। କିନ୍ତୁ ପରେ ସେହି ଅମଲାପଡ଼ାର ବଣ୍ଟି ସାହାଣୀ(୨୮)ଉପରେ ସନ୍ଦେହ ହୋଇଥିଲା। ଏ ନେଇ ସୁମିଙ୍କ ପରିବାର ଲୋକେ ପୁଲିସକୁ ବି ଜଣାଇଥିଲେ। ସେହି ଦିନଠାରୁ ବଣ୍ଟି ବି ଫେରାର୍‌ ଥିଲା। ଏ ଭିତରେ ମାସ ପରେ ମାସ ୩ ମାସ ବିତି ଯିବାରୁ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପର୍ଯ୍ୟନ୍ତ ଯାଇଥିଲା। ଗତକାଲି କୌଣସି ସୂତ୍ରରୁ ଖବର ପାଇ ସୁମିଙ୍କ ମା ଓ ମାମୁ ଖଣ୍ଡଗିରି ଥାନାରେ ପହଞ୍ଚି ତାଙ୍କ ଝିଅକୁ ଭରତପୁରରେ ରଖାଯାଇଛି ବୋଲି ଖବର ଦେଇଥିଲେ। ଏହା ଜାଣିବା ପରେ ଖଣ୍ଡଗିରି ଥାନା ପୁଲିସ ଆଜି ସନ୍ଧ୍ୟାରେ ସେଠାରେ ଚଢ଼ଉ କରିଥିଲା। ସେତିକିବେଳେ ବଣ୍ଟି ଓ ସୁମି ମାର୍କେଟ୍‌ରୁ ଘରକୁ ଫେରୁଥିଲେ। ପୁଲିସ ଚଢ଼ଉ ଖବର ଜାଣିପାରି ବଣ୍ଟି ଘରଠାରୁ କିଛି ଦୂରରେ ଅଟୋରୁ ଡେଇଁ ପଳାଇଥିଲା ଓ ତାଙ୍କ ମା ବି ଛାତରୁ ଡେଇଁ ଅନ୍ଧାର ଭିତରେ କୁଆଡ଼େ ଅନ୍ତର୍ଧାନ ହୋଇଯାଇଥିଲେ। ପୁଲିସ ସୁମିକୁ ଧରି ଥାନାକୁ ଫେରିଥିଲା। ଖବର ପାଇ କନ୍ଧମାଳ ଡିଏସ୍‌ପି ଥାନାରେ ପହଞ୍ଚିଥିଲେ। ଆଜି ସୁମିକୁ ଏକ ସର୍ଟ ଷ୍ଟେ ହୋମ୍‌ରେ ରଖାଯାଇଛି ଓ ଆସନ୍ତାକାଲି ତାଙ୍କୁ କନ୍ଧମାଳ ନିଆଯାଇ କୋର୍ଟରେ ତାଙ୍କ ବୟାନ୍‌ ରେକର୍ଡ କରାଯିବ।

ବଣ୍ଟି ଗଞ୍ଜେଇ ବେପାର ସହ ଯୁବତୀ ଚାଲାଣ କରେ
ସୁମିଙ୍କ ମା ଓ ମାମୁଙ୍କ ଅଭିଯୋଗ ଅନୁସାରେ ବଣ୍ଟିର ପରିବାର ଚୋରା ଗଞ୍ଜେଇ ବେପାର କରିବା ସହ ଯୁବତୀ ଚାଲାଣ କରନ୍ତି। ବଣ୍ଟିର ବଡ଼ଭାଇ ଏଭଳି ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲା। ତେଣୁ ବଣ୍ଟି ତାଙ୍କ ଝିଅକୁ ରାଜ୍ୟ ବାହାରକୁ ଚାଲାଣ କରିବ ବୋଲି ଯୋଜନା କରି ଅପହରଣ କରିଥିଲା। ସେ ଆହୁରି ବି ଅଭିଯୋଗ କରିଛନ୍ତି ଯେ ଏବେ ବଣ୍ଟି ନିକଟରେ ଆହୁରି ୪/୫ ଜଣ ଯୁବତୀ ଅଛନ୍ତି। ବିହାର ଓ ଦିଲ୍ଲୀ ଚାଲାଣ କରିବାକୁ ସେ କନ୍ଧମାଳରୁ ଗରିବ ଯୁବତୀମାନଙ୍କୁ ଆଣିଥାଏ ବୋଲି ସେ ଅଭିଯୋଗ କରୁଛନ୍ତି। କନ୍ଧମାଳ ପୁଲିସ ମଧ୍ୟ ବଣ୍ଟି ପରିବାର ବିରୋଧରେ ଅଣାଯାଇଥିବା ଏଭଳି ଅଭିଯୋଗକୁ ସ୍ୱୀକାର କରିଛି। କିନ୍ତୁ ସୁମି ଅପହରଣ ମାମଲା ପଛରେ ପ୍ରକୃତ କାରଣ କ’ଣ ତାହା ବଣ୍ଟି ଗିରଫ ହେବା ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।

ଫେସ୍‌ବୁକ୍‌ରେ ପ୍ରେମ କରି ବିବାହ କରିଥିଲା ସୁମି
ପୁଲିସ ସୁମିକୁ ପଚରାଉଚରା କରିବା ପରେ ଆହୁରି ସଂଗିନ୍‌ କଥା ଉଠିଛି। ସୁମି କହିବା ଅନୁଯାୟୀ ବଣ୍ଟି ନୁହେଁ, କେନ୍ଦ୍ରାପଡ଼ାର ହିମେଶ ପାଣିଗ୍ରାହୀ ନାମକ ଜଣେ ଯୁବକ ତାଙ୍କୁ ଭଲ ପାଇ ବିବାହ କରିବ ବୋଲି କହି ଆଣିଥିଲା। ଫେସ୍‌ବୁକ୍‌ରେ ପରିଚିତ ହେବା ପରେ ସୁମି ଓ ହିମେଶ ପରସ୍ପରକୁ ଭଲ ପାଇ ବସିଥିଲେ। ଫୁଲବାଣୀର ଏକ ଚର୍ଚ୍ଚରେ ସେମାନଙ୍କର ପ୍ରଥମ ଭେଟ ହୋଇଥିଲା ଓ ସେମାନେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ତେଣୁ ହିମେଶ ସହ ସୁମି ଘରୁ ପଳାଇଥିଲା ବୋଲି ପୁଲିସକୁ କହିଛି। ହିମେଶ ତାକୁ କେନ୍ଦ୍ରାପଡ଼ାସ୍ଥିତ ନିଜ ଘରକୁ ନ ନେଇ ଏକ ଭଡ଼ାଘରେ ଦୁଇ ମାସ ରଖିଥିଲା ଓ ପରେ ଛାଡ଼ି ପଳାଇଥିଲା ବୋଲି ସୁମି ପୁଲିସକୁ କହିଛି। ହିମେଶ ଛାଡ଼ି ଦେବା ପରେ ସୁମି ବଣ୍ଟି ପାଖକୁ ଚାଲି ଯାଇଥିଲା ବୋଲି କହୁଛି। ବଣ୍ଟି ପାଖରେ ସେ ମାତ୍ର ୮ ଦିନ ରହିଥିଲା ବୋଲି କହୁଛି। ତେବେ ସୁମି ଏଭଳି ବୟାନ୍‌ ଦେଇ ବଣ୍ଟିକୁ ଖସାଇବାକୁ ଚେଷ୍ଟା କରୁଛି ବୋଲି ପୁଲିସର ସନ୍ଦେହ। ତେଣୁ ବଣ୍ଟି ପରେ ଏବେ ପୁଲିସ ହିମେଶକୁ ଖୋଜିବା ଆରମ୍ଭ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe