Deccan Herald
ଧଉଳି: ମୋବାଇଲ୍ ଚୋରି ଅଭିଯୋଗରେ ଧଉଳି ଥାନା ପୁଲିସ ୩ଜଣ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହୋଇଯିବାରୁ ସେମାନଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ସେମାନେ ହେଲେ, ବାଲେଶ୍ବର ଜିଲ୍ଲା ମେରାଇନ୍ ଥାନା ଅଧୀନ ଦୁବୁଗରି ଗ୍ରାମର ଭକ୍ତଚରଣ ଦାସ ଓରଫ ରାଜ(୨୨), ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଧୀନ ଗୁରୁଡ଼ି ସାହିର ଭାଗ୍ୟବନ୍ତ ମିଶ୍ର (୧୯) ଓ ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ଗ୍ରାମର ଅକ୍ଷୟ କୁମାର ଚମ୍ପତ୍ତି ଓରଫ ରାକା (୨୨)।
ପୁଲିସ ସୂଚନା ମୁତାବକ, ରାଜ ସାଲିଆସାହି ବସ୍ତିରେ ରହୁଥିବା ବେଳେ ଭାଗ୍ୟବନ୍ତ ଗଣ୍ଡମୁଣ୍ଡା ତାରିଣୀ ବସ୍ତିରେ ରହି ଲୁଟପାଟ୍ କରେ। ଗତ ୬ ତାରିଖରେ ଦୁହେଁ ସ୍କୁଟିରେ ଆସି ଧଉଳି ଥାନା ଅଧୀନ ଇନ୍ଦିରା କଲୋନିରେ ଏକ ନିର୍ମାଣାଧୀନ ଦୁଇ ମହଲା କୋଠା ଉପରେ ରହୁଥିବା ଶ୍ରମିକମାନଙ୍କ ବ୍ୟାଗ୍ରୁ ଦୁଇଟି ମୋବାଇଲ ଓ ୨୭୫୦ ଟଙ୍କା ଲୁଟି ନେଇ ଖସିଯିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ଶ୍ରମିକମାନଙ୍କ ନିଦ ଭାଙ୍ଗିଯିବାରୁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସଦ୍ଦାମ ଶେଖ୍ ନାମକ ଜଣେ ରାଜମିସ୍ତ୍ରିଙ୍କ ସହିତ ରାଜ ଓ ଭାଗ୍ୟବନ୍ତ ଛାତ ଉପରୁ ତଳକୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଉଭୟ ଲୁଟେରାଙ୍କୁ କାବୁ କରି ଧଉଳି ଥାନା ପୁଲିସ ଜିମା ଦେଇଥିଲେ। ଏ ସଂପର୍କରେ ସଦ୍ଦାମ ଧଉଳି ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଆହତ ହୋଇ ରାଜ ଓ ଭାଗ୍ୟବନ୍ତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସୁସ୍ଥ ହେବା ପରେ ଆଜି ଧଉଳି ଥାନା ପୁଲିସ ସେମାନଙ୍କୁ କୋର୍ଟଚାଲାଣ କରିଛି। ଅନ୍ୟ ଏକ ମାମଲାରେ ଗିରଫ ହୋଇଥିବା ରାକା ଲିଙ୍ଗିପୁରର ପୂର୍ଣ୍ଣଚନ୍ଦ୍ର ନାୟକଠାରୁ ଗତ ୬ ତାରିଖ ସଂଧ୍ୟାରେ ମୋବାଇଲ ଝାମ୍ପି ନେଇ ଫେରାର ହୋଇଯାଇଥିଲା। ଏ ସଂପର୍କରେ ଶ୍ରୀ ନାୟକ ଧଉଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଧଉଳି ଥାନାରେ କେସ ନଂ ୯୬/୧୯ରେ ଏକ ମାମଲା ରୁଜୁ ହୋଇଥିଲା।
Follow Us