ନୂଆଦିଲ୍ଲୀ: ଗତଶୁକ୍ରବାର ଦିନ ବୃନ୍ଦାବନ ଦର୍ଶନ କରିବାକୁ ଆସିଥିବା ଜଣେ ଭକ୍ତଙ୍କଠାରୁ ଏକ ମାଙ୍କଡ଼ ୨୦ ଲକ୍ଷ ଟଙ୍କା ମୂଲ୍ୟର ଏକ ହୀରା ଅଳଙ୍କାର ଭର୍ତ୍ତି ବ୍ୟାଗ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି।।
ସୂଚନା ଅନୁଯାୟୀ, ଆଲିଗଡର ବାସିନ୍ଦା ଅଭିଷେକ ଅଗ୍ରୱାଲ ତାଙ୍କ ପରିବାର ସହିତ ବୃନ୍ଦାବନ ଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ମନ୍ଦିର ପରିସରରେ ବୁଲୁଥିବା ମାଙ୍କଡ଼ ଦଳଙ୍କ ମଧ୍ୟରୁ ଏକ ମାଙ୍କଡ଼ ହଠାତ୍ ଦୌଡ଼ି ଆସି ଅଭିଷେକ ଅଗ୍ରୱାଲଙ୍କ ହାତରୁ ଏକ ବ୍ୟାଗଟି ଛଡ଼ାଇ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ଅଭିଷେକ ଅଗ୍ରୱାଲ ଅଭିଯୋଗ କରି କହିଛନ୍ତି,‘ମାଙ୍କଡ଼ ଧରି ଚମ୍ପଟ ମାରିଥିବା ବ୍ୟାଗରେ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ଏକ ହୀରା ଅଳଙ୍କାର ଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ମୁଁ ମାଙ୍କଡ଼କୁ ଫଳ ଓ ଖାଦ୍ୟ ଦେଇ ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିଲି କିନ୍ତୁ ବିଫଳ ହୋଇଯାଇଥିଲି। ଶେଷରେ ମୁଁ ଏହି ଘଟଣା ବିଷୟରେ ତୁରନ୍ତ ବୃନ୍ଦାବନ କୋତୱାଲି ପୁଲିସକୁ ଖବର ଦେଇଥିଲି। ’
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସଦର ସିଓ ସନ୍ଦୀପ ସିଂହ ଏହି ଘଟଣାକୁ ନେଇ କହିଛନ୍ତି,‘ ମାଙ୍କଡ଼ଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗଟି ଦୀର୍ଘ ୮ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରାଯାଇଛି।’
Follow Us