ବନ୍ଧୁକମୁନରେ ଲକ୍ଷାଧିକ ଟଙ୍କା, ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ଲେହେଡି ଗ୍ରାମର ନୀଳାମ୍ବର ମହାପାତ୍ର ଧର୍ମଶାଳା ଛକରେ ଏକ ଜନସେବା କେନ୍ଦ୍ର ଖୋଲିଛନ୍ତି। ଆଜି ସାନ୍ଧ୍ୟ ପ୍ରାୟ ୬ଟା ୩୦ରେ ମିନିଟ ସମୟରେ ସେ ବାଇକ୍ ଯୋଗେ ନିଜ ଗ୍ରାମକୁ ଯାଉଥିବା ବେଳେ ତିନିଜଣ ଦୁର୍ବୃତ୍ତ ବିଲ ଭିତରୁ ବାହାରି ଆସି ରାସ୍ତା ବନ୍ଦ କରିବା ସହ ଆକ୍ରମଣ କରିଥିଲେ।

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଛକଠାରେ ଥିବା କିଓସ୍କ ବ୍ୟାଙ୍କ ତଥା ଜନସେବା କେନ୍ଦ୍ର ମାଲିକଙ୍କଠାରୁ ଆଜି ସନ୍ଧ୍ୟାରେ ଲକ୍ଷାଧିକ ଟଙ୍କା ଓ ମୋବାଇଲ୍‌ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ମାଲିକ ନୀଳାମ୍ବର ମହାପାତ୍ର ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଲେହେଡ଼ି ଗ୍ରାମର ନୀଳାମ୍ବର ଧର୍ମଶାଳା ଛକଠାରେ ଏକ କିଓସ୍କ ବ୍ୟାଙ୍କ ‌ଖୋଲିଛନ୍ତି। ସେ ସବୁଦିନ ଭଳି ଆଜି ସନ୍ଧ୍ୟାରେ ଜନସେବା କେନ୍ଦ୍ର ବନ୍ଦ କରି ଟଙ୍କା ତକ ଧରି ବାଇକ୍ ଯୋଗେ ନିଜ ଗ୍ରାମ ଲେହେଡିକୁ ଯାଉଥିଲେ।

ଏହି ସମୟରେ ଚଉରାବନ୍ଧଠାରେ ତିନି ଜଣ ଦୃର୍ବୁତ୍ତ ରାସ୍ତା ବନ୍ଦ କରିବା ସହ ନୀଳାମ୍ବରଙ୍କୁ ହଠାତ୍ ଆକ୍ରମଣ କରିଥିଲେ। ଏଥିସହ ବନ୍ଧୁକ ଦେଖାଇ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ରହିଥିବା ବ୍ୟାଗକୁ ଲୁଟି ଫେରାର ମାରିଥିଲେ। ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଏକ ବନ୍ଧୁକ ମାଧ୍ୟମରେ ମୁଣ୍ଡରେ ଆଘାତ ଦେବାରୁ ନୀଳାମ୍ବର ଗୁରୁତର ହୋଇଥିଲେ। ପରେ ଜୀବନ ବଞ୍ଚାଇବାକୁ ଦୌଡ଼ି ଦୌଡ଼ି ଆସି ଧର୍ମଶାଳା ଛକରେ ପହଞ୍ଚିଥିଲେ।

publive-image

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍‌ପିଟାଲକୁ ନେଇଥିଲେ। ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ବୀରମହାରାଜପୁର ପୁଲିସ ଘଟଣାସ୍ଥଳରୁ ଏକ ଜୀବନ୍ତ ଗୁଳି ଜବତ କରିବା ସହ ତଦନ୍ତ ଜାରି ରଖିଛି। ସେହିପରି ଘଟଣା ସମ୍ପର୍କରେ ଖବରପାଇ ବିଧାୟକ ଇଂ ରଘୁନାଥ ଜଗଦଲା ଗୁରୁତର ନୀଳମ୍ବରଙ୍କୁ ଭେଟିଛନ୍ତି। ଏଥିସହ ଘଟଣାରେ ସଂପୃକ୍ତ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। 

ଅନ୍ୟପକ୍ଷରେ ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ପୁଲିସ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ସେହିପରି ଦୁଇଟି ବାଇକ୍‌ରେ ଥିବା ଦୁର୍ବୃତ୍ତମାନେ ବୀରମହାରାଜପୁର ପଟକୁ ଗୋଟିଏ ବାଇକ୍ ଓ ସୋନପୁର ପଟକୁ ଅନ୍ୟ ଏକ ବାଇକ୍‌ ଧରି ଫେରାର୍ ମାରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅଞ୍ଚଳରେ ଲୁଟ୍‌ ଓ ଡକାୟତ ଘଟଣା ବଢ଼ିବାରେ ଲାଗିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe