ମୁମ୍ବାଇ: ସୋମବାର ରାତିରେ ଦକ୍ଷିଣ ମୁମ୍ବାଇର ଏକ ହଷ୍ଟେଲ୍ରେ ଜଣେ ୧୮ ବର୍ଷୀୟ କଲେଜ୍ ଝିଅ ସହିତ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିବା ପରେ ଉକ୍ତ ହଷ୍ଟେଲ୍ ଜଗୁଆଳି (ୱାଚ୍ମ୍ୟାନ୍) ନିଜେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହରାଇଥିବା କଥା ପୁଲିସ କହିଛି।
କିନ୍ତୁ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୁଷ୍କର୍ମ କଥା ସୁନିଶ୍ଚିତ କରାଯିବ ବୋଲି ସେମାନେ କହିଛନ୍ତି।
ମଙ୍ଗଳବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ଅପରାଧ ବିଷୟରେ ସୂଚନା ପାଇଥିବା ମେରାଇନ୍ ଡ୍ରାଇଭ୍ ପୁଲିସ କହିଛି ଯେ, ସୋମବାର ରାତି ୧୧.୩୦ରୁ ୪ଟା ମଧ୍ୟରେ ଉଭୟ ଘଟଣା ଘଟିଥିବା ପରି ମନେହେଉଛି। ଭୋର୍ ପ୍ରାୟ ୪.୩୦ରେ ଓମ୍ ପ୍ରକାଶ କାନୋଜିଆ ନାମକ ଉକ୍ତ ଅଭିଯୁକ୍ତ ଚଳନ୍ତା ରେଳ ଆଗକୁ ଡେଇଁ ଜୀବନ ହରାଇଛନ୍ତି।
Image Courtesy of India Todayଟ୍ରେନ୍ ଆଗକୁ ଡେଇଁ ପ୍ରାଣ ହରାଇଥିବା ୩୦ ବର୍ଷିୟ ଓମ୍ ପ୍ରକାଶ ଦକ୍ଷିଣ ମୁମ୍ବାଇସ୍ଥିତ ପୋଲିସ ଜିମ୍ଖାନା ନିକଟରେ ଅବସ୍ଥିତ ‘ସାବିତ୍ରୀ ଫୁଲେ ମହିଳା ହଷ୍ଟେଲ୍’ରେ ଗତ ୧୫ ବର୍ଷ ହେବ ରାତ୍ର-ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ।
ମେରାଇନ୍ ଡ୍ରାଇଭ୍ ଥାନାରେ ଏହି ଘଟଣାର ‘ଏଫ୍ଆଇଆର୍’ ରେଜିଷ୍ଟ୍ରି କରାଯାଇଛି। ମୃତ ଝିଅ ହେଉଛନ୍ତି ବାନ୍ଦ୍ରା ଉପନଗରୀସ୍ଥିତ ସରକାରୀ ପଲିଟେକ୍ନିକ୍ର ଜଣେ ଛାତ୍ରୀ। ମଙ୍ଗଳବାର ଅପରାହ୍ଣରୁ ସେ ନିଖୋଜ ଥିଲେ ଏବଂ ୪ ତାଲା ଉପରେ ଥିବା ତାଙ୍କ ହଷ୍ଟେଲ୍ ରୁମ୍ ବାହାରୁ ତାଲାପଡ଼ିଥିଲା।
ପୁଲିସ ଭିତରେ ପଶି ଦେଖିଲା ଯେ, ବେକରେ ଓଢ଼ଣୀ ଗୁଡ଼ାହୋଇଥିବା ସେ ଝିଅ ମରି ପଡ଼ିଛି। ତୁରନ୍ତ ତଦନ୍ତ ଆରମ୍ଭ କରି ପୁଲିସ ଜାଣିଲା କି, ଉକ୍ତ ହଷ୍ଟେଲ୍ର ଜଗୁଆଳି ମଧ୍ୟ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପୁଲିସ ଟିମ୍ ଗଠନ କରାଗଲା। କିନ୍ତୁ ମଙ୍ଗଳବାର ସନ୍ଧ୍ୟା ୫.୩୦ରେ ଖବର ମିଳିଲା ଯେ, ଗୋଟାଏ ରେଳ ଷ୍ଟେସନ୍ରେ ତାଙ୍କର ମୃତ୍ୟୁ ଘଟିଛି।
Follow Us