ବାଲ୍‌କୋନିରୁ ଠେଲିଦେଲେ! ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

Advertisment

ଜଣେ ଅଟକ

ଜଣେ ଅଟକ

ବାଲ୍‌କୋନିରୁ ଠେଲିଦେଲେ! ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ଅଧୀନ ଶ୍ରୀବିହାରସ୍ଥିତ ପରମେଶ୍ୱର ଆପାର୍ଟମେଣ୍ଟ୍‌ରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ବାଲ୍‌କୋନିରୁ ଖସି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ତିନି ଦିନ ଧରି ନିର୍ଯାତନା ଦେବା ପରେ ଛାତରୁ ଠେଲି ତାଙ୍କୁ ହତ୍ୟା କରାଯାଇଛି ବୋଲି ମୃତ ମହିଳାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମହିଳା ଜଣଙ୍କ ହେଲେ ଜିଜ୍ଞାସା ମିଶ୍ର(୨୭)। ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ହତ୍ୟା ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ଆପାର୍ଟମେଣ୍ଟ୍‌ର ୩୦୧/ସିରେ ରହୁଥିବା ଶଶାଙ୍କ ଚନ୍ଦ୍ର ବଂଶୀ(୩୭)ଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ପୁଲିସ କହିଛି।

ପୁଲିସ ସୂଚନା ଅନୁଯାୟୀ ଜିଜ୍ଞାସା ହାଇଦ୍ରାବାଦ୍‌ରେ ଇଂଜିନିୟର ଭାବେ କାମ କରୁଥିବା ଅଭିଷେକ ପରମାଣିକଙ୍କୁ ବିବାହ କରିଥିଲେ। ତେବେ କିଛିଦିନ ହେବ ସେ ବିବେକାନନ୍ଦ ସ୍କୁଲ୍‌ ଛକରେ ରହୁଥିବା ତାଙ୍କ ବାପାଙ୍କ ଘରେ ରହୁଥିଲେ। ସପ୍ତାହକ ତଳେ ବିଳମ୍ବିତ ରାତିରେ ଜନତା ମଇଦାନ ନିକଟରେ ତାଙ୍କର ଶଶାଙ୍କଙ୍କ ସହିତ ଦେଖା ହୋଇଥିଲା। ଶଶାଙ୍କ ବିବାହିତ। ତିନିମାସ ତଳେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ପତ୍ନୀ ତାଙ୍କ ସନ୍ତାନକୁ ନେଇ ବାପଘର ଛତିଶିଗଡ଼ ରାୟପୁର ଯାଇଛନ୍ତି। ଫଳରେ ଏଠାରେ ସେ ଏକା ରହୁଥିଲେ। ଜିଜ୍ଞାସା ତାଙ୍କ ସହ ହୋଟେଲ୍‌ ଲେଟ୍‌ ନାଇଟ୍‌ ପାର୍ଟିରେ ମଧ୍ୟ ଦେଖା ହୋଇଥିଲେ। ସେଠାରେ ଶଶାଙ୍କ ତାଙ୍କୁ ପ୍ରେମ ନିବେଦନ କରିଥିବା କୁହାଯାଉଛି। ଗତ ୩ ଦିନ ଜିଜ୍ଞାସା ଶଶାଙ୍କ ସହ ଉକ୍ତ ଆପାର୍ଟମେଣ୍ଟ୍‌ର ୩୦୧/ସିରେ ରହୁଥିଲେ। ଗୁରୁବାର ବିଳମ୍ବିତ ରାତିରେ ଉଭୟ ନିଶାସକ୍ତ ଅବସ୍ଥାରେ ଥିଲେ। ହେଲେ ରାତି ପ୍ରାୟ ୩ଟା ବେଳକୁ ବେଡ୍‌ରେ ଜିଜ୍ଞାସାଙ୍କୁ ନପାଇ ଶଶାଙ୍କ ଘର ସାରା ଖୋଜାଖୋଜି କରିଥିଲେ। ପରେ ତାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ତଳେ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତିନି ମହଲା ଉପରୁ ପଡ଼ିବା ଫଳରେ ଜିଜ୍ଞାସାଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିଲା। ଏପରିକି ନାକ, କାନ, ପାଟି ଓ ଆଖିରୁ ମଧ୍ୟ ରକ୍ତ ବାହାରିଥିଲା। ଆପାର୍ଟମେଣ୍ଟର ଅନ୍ୟ ବାସିନ୍ଦା ଏ ନେଇ ଚନ୍ଦ୍ରଶେଖରପୁର ଥାନାକୁ ସୂଚନା ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହର ପଞ୍ଚନାମା କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଯାଇଥିଲା।

ଝିଅ ମୃତ୍ୟୁ ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏ ନେଇ ଜିଜ୍ଞାସାଙ୍କ ପରିବାର ଲୋକ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। ତାଙ୍କ ଝିଅକୁ ଶଶାଙ୍କ ୩ ଦିନ ଧରି ଗୋଟିଏ ଘରେ ଅଟକ ରଖି ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ବାଲ୍‌କୋନିରୁ ଠେଲି ହତ୍ୟା କରିଛି ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଖବରପାଇ ଜିଜ୍ଞାସାଙ୍କ ସ୍ୱାମୀ ଅଭିଷେକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଜିଜ୍ଞାସାଙ୍କ ସହିତ ସ୍ୱାମୀ ଅଭିଷେକଙ୍କର ଭଲ ସଂପର୍କ ନଥିଲା ବୋଲି ଚର୍ଚା ହେଉଛି। ଫଳରେ ସେ ଗତ ପ୍ରାୟ ୬ ମାସ ହେବ ଏଠାରେ ତାଙ୍କ ବାପ ଘରେ ରହୁଥିଲେ ବୋଲି ଆଲୋଚନା ହେଉଛି। ପୁଲିସ ଏହି ସବୁ ଦିଗକୁ ନଜରରେ ରଖି ତଦନ୍ତ ଆରମ୍ଭ କରିଛି। ଶଶାଙ୍କଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆପାର୍ଟମେଣ୍ଟ୍‌ର ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାହା କିଛି କୁହାଯାଇ ପାରିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe