ମୁଣ୍ଡକୁ ଇଟାରେ ଛେଚି ହତ୍ୟା ଜଣେ ଅଟକ

ମୁଣ୍ଡକୁ ଇଟାରେ ଛେଚି ହତ୍ୟା ଜଣେ ଅଟକ

ବାରଙ୍ଗ: ଗୁରୁବାର ରାତିରେ  ଚନ୍ଦକା ଥାନା କଣ୍ଟାବାଡ଼ରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କ ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରାଯାଇଛି। ତାଙ୍କର ଜଣେ ବନ୍ଧୁ ଏହି କାଣ୍ଡ କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ କଣ୍ଟାବାଡ଼ ଆଦିବାସୀ ସାହିର ନିରଂଜନ ନାଏକ(୩୮)। ଏହି ମାମଲାରେ ଚନ୍ଦକା ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତଭାବେ ବଳାରାମ ନାଏକ ଓରଫ୍‌ ବଳିଆ(୩୮)କୁ ଅଟକ ରଖି ପଚରାଉଚରା କରୁଛି। ଉଭୟ ନିରଂଜନ ଓ ବଳିଆ କଣ୍ଟାବାଡ଼ ଭଗବତୀପୁର ନିକଟ ଆଦିବାସୀ ସାହିର ବୋଲି ଜଣାପଡ଼ିଛି।

ଶୁକ୍ରବାର ସକାଳୁ କଣ୍ଟାବାଡ଼-ଭଗବତୀପୁର ରାସ୍ତାରେ ନିରଂଜନଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ଚନ୍ଦକା ଥାନାକୁ ଜଣାଇଥିଲେ। ସେ ମୁହଁମାଡ଼ି ରାସ୍ତାରେ ପଡ଼ିଥିଲେ ଓ ପାଖରେ ଏକ ରକ୍ତ ଲଗା ଇଟା ପଡ଼ିଥିଲା। ପ୍ରବଳ ରକ୍ତ ବୋହି ରାସ୍ତା ଭିଜି ଯାଇଥିଲା। ମୁଣ୍ଡର ପଛ ପାଖ ଓ ମୁହଁ ଆଦିରେ କ୍ଷତ ଚିହ୍ନ ଥିଲା। ଖବର ପାଇ ନିରଂଜନଙ୍କ ପରିବାର ଲୋକ ଓ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗତ ରାତିରୁ ନିରଂଜନ ଘରକୁ ଫେରି ନଥିଲେ ବୋଲି ପରିବାର ଲୋକେ ପୁଲିସକୁ ଜଣାଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ପଚରାଉଚରା କରିବା ପରେ ଜଣାଗଲା ଯେ ଗତ ରାତିରେ ନିରଂଜନ, ବଳିଆ ଓ ଅନ୍ୟ ୪ ଜଣ ଯୁବକ ଏକାଠି ହୋଇ କଣ୍ଟାବାଡ଼ ବଜାରକୁ ଯାଇଥିଲେ। ସମସ୍ତେ ରାତି ପ୍ରାୟ ୧୦ଟା ପରେ ଘରକୁ ଫେରିଥିଲେ, କିନ୍ତୁ ନିରଂଜନ ଫେରି ନଥିଲେ। ପୁଲିସ ସୂଚନାନୁସାରେ ନିରଂଜନ ଓ ବଳିଆ ସାଙ୍ଗ ହୋଇ ଫେରୁଥିବାବେଳେ କୌଣସି କାରଣରୁ ସେମାନଙ୍କ ଭିତରେ ଗଣ୍ଡଗୋଳ ଘଟିଛି ଓ ରାଗରେ ବଳିଆ ଏଭଳି କାଣ୍ଡ କରିବସିଛି। ବଳିଆକୁ ଅଟକ ରଖି ଅଧିକ ତଦନ୍ତ ଚାଲିଛି ବୋଲି ପୁଲିିସ କହିଛିି। ତେବେ ପାରିପାର୍ଶ୍ୱିକ ଅବସ୍ଥାରୁ ଯାହା ଅନୁମାନ କରାଯାଉଛି, ଏହା ଅତର୍କିତ ଗଣ୍ଡଗୋଳର କାରଣ ହୋଇ ନପାରେ। କାରଣ ନିରଂଜନଙ୍କ ମୁଣ୍ଡ ପଛପଟେ ଶକ୍ତ ଆଘାତ ଲାଗିଛି,ଅର୍ଥାତ୍‌ ବଳିଆ ପଛପଟୁ ଆକ୍ରମଣ କରିଛି। ପଛରୁ ଆକ୍ରମଣ କରିଥିବାରୁ ଏହା ପୂର୍ବପ୍ରସ୍ତୁତି ବୋଲି ସନ୍ଦେହ କରାଯାଉଛି। ତେଣୁ ଉପରକୁ ସାଙ୍ଗ ହେଉଥିଲେ ବି ମନ ଭିତରେ କୌଣସି କାରଣରୁ ବଳିଆ ନିରଂଜନକୁ ହତ୍ୟା କରିବ ବୋଲି ଯୋଜନା କରିଥବା ଚର୍ଚ୍ଚା ହେଉଛି। ଏହି ମାମଲାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନା, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe