ଠାକୁରପଡ଼ା ହତ୍ୟାକାଣ୍ଡ ରହସ୍ୟ ଖୋଲିଲା: ୧୨ ବର୍ଷ ପୂର୍ବ 'ଝିଅ ମୃତ୍ୟୁ'ର ପ୍ରତିଶୋଧ ନେଲେ ବାପା-ମା, ଭାଇ-ଭଉଣୀ

Advertisment
ଠାକୁରପଡ଼ା ହତ୍ୟାକାଣ୍ଡ ରହସ୍ୟ ଖୋଲିଲା: ୧୨ ବର୍ଷ ପୂର୍ବ 'ଝିଅ ମୃତ୍ୟୁ'ର ପ୍ରତିଶୋଧ ନେଲେ ବାପା-ମା, ଭାଇ-ଭଉଣୀ

ଖୋର୍ଦ୍ଧା: ଖୋର୍ଦ୍ଧା ଠାରୁ ୮ କିମି ଦୂର ଠାକୁରପଡ଼ା ଠାରେ ଗତକାଲି ରାତିରେ ଘଟିଥିବା ନୃସଂଶ ହତ୍ୟାକାଣ୍ଡର ରହସ୍ୟ ଖୋଲିଛି । ୧୨ ବର୍ଷ ପୂର୍ବେ ଘଟିଥିବା ଝିଅର ମୃତ୍ୟୁର ପ୍ରତିଶୋଧ ନେବାକୁ ଝିଅର ବାପା-ମାଆ, ଭାଇ-ଭଉଣୀ ମିଶି ଏହି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର୍ ରହିଛି ।

ସୂଚନାନୁସାରେ, ଠାକୁରପଡ଼ା ଗାଁରେ ଉଭୟ ନୃସିଂହ ସାହୁ ଓ ଉମାକାନ୍ତ ସାହୁଙ୍କ ପରିବାର ରହନ୍ତି । ନୃସିଂହ ସାହୁଙ୍କ ବଡ଼ ଝିଅ ପ୍ରଭାସିନୀ ସାହୁଙ୍କୁ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଗର୍ଭବତୀ କରିଥିଲେ । କିନ୍ତୁ ତାଙ୍କୁ ବିବାହ କରିନଥିଲେ । ଏନେଇ ପ୍ରଭାସିନୀ ଖୋର୍ଦ୍ଧା ଟାଉନ୍ ଥାନାରେ ଅକ୍ଟୋବର ୧୮, ୨୦୦୮ରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଏହି ଅଭିଯୋଗ ଅନୁସାରେ ପୁଲିସ ମାମଲା ରୁଜୁ କରି ପୁଲିସ ଉମାକାନ୍ତଙ୍କୁ ଗିରଫ କରିଥିଲା । ଏହାର କିଛି ଦିନ ପରେ ଉମାକାନ୍ତ ଜାମିନରେ ଜେଲ୍‌ରୁ ମୁକୁଳିଥିଲା । ଜାମିନର ମୁକୁଳିବାର ୩ ମାସ ପରେ ପ୍ରଭାସିନୀ ଆତ୍ମହତ୍ୟା କରିଥିଲା ।

ତେବେ ଏହି ଘଟଣା ପରେ ଉମାକାନ୍ତ ଗାଁରେ ଆଉ ନରହି କଲିକତାରେ ରହି କାମ କରୁଥିଲା । ତେବେ ଏହି ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ଅନେକ ସମୟରେ ବଚସା ଓ କଳିଗୋଳ ହେଉଥିଲା । ଚଳିତ ବର୍ଷ ରଜ ସଂକ୍ରାନ୍ତି ନିମନ୍ତେ ଉମାକାନ୍ତ ୪ ଦିନ ପୂର୍ବେ ଗାଁକୁ ଫେରିଥିଲା । ଗତକାଲି ରାତିରେ ଉମାକାନ୍ତ ଗାଁ ଛକରେ ଥିବା ଏକ ପାନଦୋକାନରୁ ଗୁଟ୍‌ଖା ନେଇ ଫେରୁଥିବା ବେଳେ ଯୋଜନାବଦ୍ଧ ଭାବେ ନୃସିଂହ, ତାଙ୍କ ପତ୍ନୀ ସୁଲୋଚନା ସାହୁ (୫୦), ନୃସିଂହଙ୍କ ସାନ ଝିଅ ମମତା ସାହୁ ଓରଫ ମିନି (୨୪) ଓ ନୃସିଂହଙ୍କ ପୁଅ ଅମୂଲ୍ୟ ସାହୁ ଓରଫ ନଟିଆ (୨୫) ତାଙ୍କୁ ଗାଡ଼ିର ସକ୍‌ଅବଜରଭର ରଡ୍‌, କାତି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ । ସେ ପଡ଼ିଯିବା ପରେ ଉମାକାନ୍ତଙ୍କ ମୁଣ୍ଡରେ ପଥର ଛେଚି ଦେଇଥିଲେ । ଏଥିରେ ଉମାକାନ୍ତଙ୍କ ମୃତ୍ୟୁ ଘଟିଥିଲା ।

ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର, କହିଛନ୍ତି ଯେ ଗତକାଲି ରାତିରେ ସୂଚନା ପାଇ ଟାଉନ୍ ଥାନା ଆଇଆଇସି ସଂଜୟ କୁମାର ପଟ୍ଟନାୟକ, ଏସ୍‌ଆଇ ବିକେ ବେହେରା, ରଶ୍ମୀରଂଜନ ଦାଶ, ପିଏଲ୍ ବେହେରା, ଏସ୍‌ଆଇ ଅନୁଭା ଦାସ ଓ ଅନ୍ୟ ପୁଲିସ୍ କର୍ମଚାରୀଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଂଚିଥିଲା । ସେଠାରେ ଆକ୍ରମଣ କରିଥିବା ସୁଲୋଚନା, ମିନି ଓ ଅମୂଲ୍ୟ ସେମାନଙ୍କ ଦୋଷ ସ୍ୱୀକାର କରିଥିଲେ । ଏହା ସହ ଆକ୍ରମଣରେ ବ୍ୟବହୃତ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଥିଲା । ଏହି ଘଟଣାରେ ନୃସିଂହ ଫେରାର୍ ରହିଛି । ଏନେଇ ଲକ୍ଷ୍ମୀପ୍ରିୟା ସାହୁଙ୍କ ଅଭିଯୋଗ ଅନୁସାରେ, ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ୨୩୮/୨୦୨୧ରେ ଧାରା ୩୦୨, ୩୭୯, ୩୪ ଆଇପିସିରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe