କିନ୍ନରଙ୍କ ପେଟରେ ସ୍କୃ-ଡାଇଭର୍‌ ଭୁସି ହତ୍ୟା

Advertisment
କିନ୍ନରଙ୍କ ପେଟରେ ସ୍କୃ-ଡାଇଭର୍‌ ଭୁସି ହତ୍ୟା

ଖଣ୍ଡଗିରି: ରାଜଧାନୀରେ ଚାଞ୍ଚଲ୍ୟ। ଜଣେ କିନ୍ନରଙ୍କ ପେଟରେ ସ୍କୃ-ଡାଇଭର୍‌ ଭୁସି ହତ୍ୟା କରିଛି ଜଣେ ଦୁର୍ବୃତ୍ତ। ଘଟଣା ଘଟିଛି ଖଣ୍ଡଗିରି ଥାନା ଅଧୀନ କଳିଙ୍ଗ ଷ୍ଟୁଡିଓ ନିକଟ କିନ୍ନର ବସ୍ତିରେ। ମୃତ କିନ୍ନର ହେଲେ ବୈଶାଖୀ ଓରଫ ଜିତୁ ଓରଫ ରଶ୍ମି। ଘର ୟୁନିଟ-୬ ଗଙ୍ଗନଗରରେ। ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଘଟଣା ପରଠାରୁ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା କରିଥିଲେ ବି ଆକ୍ରମଣ କରିଥିବା ଦୁର୍ବୃତ୍ତର ପତ୍ତା ମିଳିନାହିଁ।

ସୂଚନାନୁସାରେ କଳିଙ୍ଗଷ୍ଟୁଡିଓ ଛକସ୍ଥିତ କିନ୍ନର ବସ୍ତିରେ ରହୁଥିବା ବୈଶାଖୀଙ୍କୁ ଗତ ୨୨ ତାରିଖ ରାତିରେ କେହି ଆକ୍ରମଣ କରିଥିଲା। ଦୁର୍ବୃତ୍ତଜଣଙ୍କ ବୈଶାଖୀଙ୍କ ପେଟକୁ ସ୍କୃ-ଡାଇଭର୍‌ରେ ଭୁସି ଫେରାର୍‌ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାରୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ତେବେ ସେ ନିୟମିତ ବ୍ୟବଧାନରେ ଡାକ୍ତରଙ୍କୁ ଦେଖା କରି ଔଷଧ ସେବନ କରୁଥିଲେ। କିନ୍ତୁ ଆଜି ହଠାତ୍‌ ସେ ଘରେ ଅଧିକ ଅସୁସ୍ଥ ଅନୁଭବ କରିଥିଲେ ଓ ତୁରନ୍ତ ତାଙ୍କୁ ସେହି ହସ୍ପିଟାଲରେ ଭର୍ତି କରାଯାଇଥିଲା। ମାତ୍ର କିଛି ସମୟ ଚିକିତ୍ସା ପରେ ଅପରାହ୍ଣରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ସ୍କୃ-ଡାଇଭର ଦ୍ୱାରା ତାଙ୍କ ପେଟ ଭିତରେ ସୃଷ୍ଟି ହୋଇଥିବା କ୍ଷତ ସଂକ୍ରମଣ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ। ପୁଲିସ ସୂଚନାନୁସାରେ ବୈଶାଖୀ ସ୍ପଷ୍ଟଭାବେ ସେହି ଆକ୍ରମଣକାରୀ ବାବଦରେ କୌଣସି ସୂଚନା ଦେଇ ନଥିଲେ। ବୈଶାଖୀଙ୍କ ଘରକୁ ଆସି ଆକ୍ରମଣ କରିଥିବାରୁ ଦୁର୍ବୃତ୍ତ ନିଶ୍ଚୟ ଜଣାଶୁଣା ହୋଇଥିବ ବୋଲି ପୁଲିସ ସନ୍ଦେହ କରୁଛି। ତେଣୁ ପୁଲିସ ବୈଶାଖୀଙ୍କ ପଡ଼ୋଶୀମାନଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe