ଭୁବନେଶ୍ବର/ବାରଙ୍ଗ: ରାଜଧାନୀ ଉପକଣ୍ଠରେ ଜଣେ ଅଜଣା ମହିଳାଙ୍କ ମୁଣ୍ଡ କାଟି ଫିଙ୍ଗିଦେବା ଘଟଣା ଗତକାଲିଠାରୁ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ପୁଲିସକୁ ଅପରାଧ ସଂକ୍ରାନ୍ତରେ କୌଣସି ଟେର ମିଳୁନାହିଁ। ଦୀର୍ଘ ୪୮ ଘଣ୍ଟାର ତଦନ୍ତ ପରେ ବି ମହିଳାଙ୍କ ପରିଚୟ ମିଳିପାରୁନାହିଁ। ଫଳରେ କମିସନରେଟ୍ ପୁଲିସ ଏହାର ତଦନ୍ତ ପାଇଁ ରାଜ୍ୟ ବାହାରର ପୁଲିସ୍ର ସହାୟତା ଲୋଡ଼ିବ। ବିଭିନ୍ନ ରାଜ୍ୟର ପୁଲିସ ନିକଟକୁ ମହିଳାଙ୍କ ସଂପର୍କିତ ତଥ୍ୟ ପଠାଯାଇଛି। ଏଥିସହ ରାଜ୍ୟର ସମସ୍ତ ଜିଲ୍ଲାର ପୁଲିସ୍ ନିକଟକୁ ମଧ୍ୟ ମହିଳାଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରାଯାଇଛି। କମିସନରେଟ ପୁଲିସ୍ ତଦନ୍ତକୁ ସହଜ କରିବା ପାଇଁ ମହିଳାଙ୍କ ପିନ୍ଧା ପୋଷାକକୁ ଆଧାର କରି ଏକ ପୋଷ୍ଟର୍ ଜାରି କରିବ। ସେହି ପୋଷ୍ଟର୍କୁ ସର୍ବସାଧାରଣରେ ଲଗାଯିବ ବୋଲି ସୂଚନା ରହିିଛି। ଏଥିସହ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ମହିଳାଙ୍କ ସଂପର୍କରେ ଜନସାଧାରଣଙ୍କଠାରୁ ସୂଚନା ଆହ୍ବାନ କରିଛନ୍ତି।
ତେବେ ମହିଳାଙ୍କ ଶରୀର ଯେଉଁଠାରେ ମିଳିଛି ସେଠାରେ ହତ୍ୟା କରାଯାଇ ନାହିଁ ବୋଲି ପୁଲିସ୍ ପ୍ରଥମିକ ତଦନ୍ତରୁ ଅନୁମାନ କରୁଛି। କେହି ଜଣେ ମହିଳାଙ୍କୁ ଅନ୍ୟ ଜାଗରେ ହତ୍ୟା କରି ସେଠାରେ ଫିଙ୍ଗିଥିବା ସନ୍ଦେହ କରୁଛି ପୁଲିସ୍। ଏହି ଘଟଣାର ଅଧିକ ଖୋଳତାଢ଼ ପାଇଁ ଏଡିସିପିଙ୍କ ତତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଘଟଣାସ୍ଥଳରେ ବୈଜ୍ଞାନିକ ଦଳ ପହଞ୍ଚି ତଦନ୍ତ କରି ଅନେକ ତଥ୍ୟ ହାତେଇଛନ୍ତି ବୋଲି ଡିସିପି ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗୁରୁବାର ସକାଳେ ଚନ୍ଦକା ଥାନା ପୁଲିସ ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମୁଣ୍ଡ ବିହୀନ ମହିଳାଙ୍କ ଶରୀର ପାଇଥିଲା। ଡିସିପି ଉମାଶଙ୍କର ଦାଶ, ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ, ଏସିପି(ସ୍ପେସାଲ ସ୍କ୍ବାଡ୍) ସଞ୍ଜୀବ ଶତପଥୀ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦାରଖ କରିଥିଲେ। ଗୁରୁବାର ସକାଳେ ଏଭଳି ମୁଣ୍ଡ ବିହୀନ ଶବ ପଡ଼ିଥିବା ସୂଚନା ପାଇ ପ୍ରଥମେ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପାଦ ଆଙ୍ଗୁଠିରେ ଝୁଣ୍ଟିଆ, ଦୁଇ ହାତରେ ଚୂଡ଼ି ଓ ଶଙ୍ଖା ଥିବାରୁ ମୃତ ମହିଳା ଜଣକ ବିବାହିତା ଓ ତାଙ୍କ ବୟସ ୩୫ରୁ ୪୦ ବର୍ଷ ଭିତରେ ହେବ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ସେ ନାଇଟି ପିନ୍ଧିଥିବା ବେଳେ ପାଖରେ ଶାଢ଼ି ଓ ଅନ୍ୟାନ୍ୟ ଅନ୍ତଃବସ୍ତ୍ର ପଡ଼ିଥିଲା। ପାଖରେ ଏକ ଛୁରି, ମଦ ବୋତଲ, ବେଡସିଟ୍, ଗ୍ଲୋଭ୍ସ୍, ସାନିଟାରି ନାପ୍କିନ୍, ବ୍ୟାଗ୍ ପଡ଼ିଥିବାବେଳେ କିଛି ଦୂରରେ ଏକ ଗଛରେ ଓଢ଼ଣି ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା।
Follow Us