ମେରଠ : ମେରଠରେ ରହୁଥିବା ଜଣେ ମୁସ୍ଲିମ୍ ଯୁବତୀ ନିଜ ସହ ଘଟିଥିବା ଅସଦାଚରଣକୁ ନେଇ ମୁହଁ ଖୋଲିଛନ୍ତି । ଉମାମ ଖାନମ ନାମକ ଜଣେ ଯୁବତୀ ଟୁଇଟ୍ କରି ନିଜ ସହ ଘଟିଥିବା ଅସଦାଚରଣର ଘଟଣା ସମସ୍ତଙ୍କୁ ଜଣାଇଥିବା ଦେଖା ଯାଇଛି । କଲେଜ୍ ଟୁର୍ ସମୟରେ ପୀଡ଼ିତାଙ୍କ ସହ ପଢ଼ୁଥିବା କିଛି ଯୁବକ ତାଙ୍କ ସହ ଅସଦାଚରଣ କରିବା ସହ ବିଜେପି ଟୋପି ପିନ୍ଧାଇବାକୁ ଚେଷ୍ଟା କରିଥିଲେ ବୋଲି ପୀଡ଼ିତା ଜଣାଇଛନ୍ତି ।
୫୫ଜଣ ଛାତ୍ର-ଛାତ୍ରୀଙ୍କ ସହ ମୁଁ କଲେଜ୍ ଟୁର୍ ପାଇଁ ଆଗ୍ରା ଯାଇଥିଲି । ୫୫ଜଣଙ୍କ ମଧ୍ୟରୁ ମୁଁ ଏକା ମୁସ୍ଲିମ୍ ଥିଲି । ଆମ ସହିତ ୪ଜଣ ଶିକ୍ଷକ ଥିଲେ । କିଛି ଛାତ୍ର ମଦ ପିଇଥିବା ସହ ମୋ ସହ ଆସି ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲେ । ବିଜେପି ଟୋପି ପିନ୍ଧାଇବାକୁ ଚେଷ୍ଟା କରିବାରୁ ମୁଁ ତାଙ୍କୁ ମନା କରିଥିଲି । ଏହା ପରେ ସେ ରାଗି ଯାଇ ମୋ ସହ ଅଶାଳୀନ ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ । ଏହା ଦେଖି କେହି ମୋତେ ସାହାଯ୍ୟ କରିବା ପରିବର୍ତ୍ତେ ସମସ୍ତେ ଏହାର ମଜା ଉଠାଇଥିଲେ ବୋଲି ଲେଖିଥିଲେ ଉମାମ । ତେବେ ଟୁଇଟ୍ରରେ ଉମାମ ଜଣାଇଥିବା ଘଟଣାକୁ ଲୋକେ ମିଛ ବୋଲି କହୁଥିବା ଦେଖା ଯାଇଛି । ପ୍ରକୃତରେ ଉମାମ କହିଥିବା କଥା ସତ କି ନାହିଁ, ତାହା ସ୍ପଷ୍ଟ ହୋଇ ପାରି ନାହିଁ ।
Follow Us