Representative Image
ନୂଆଦିଲ୍ଲୀ: ସ୍ୱାମୀ ଦଶ ବର୍ଷରୁ ଊର୍ଦ୍ଧ୍ୱ ହେବ ଚେନ୍ ବାନ୍ଧି ରଖି ନିର୍ଯାତନା ଦେଉଥିବା ଜଣେ ମହିଳାଙ୍କୁ ଶୁକ୍ରବାର ଦିନ ଉଦ୍ଧାର କରାଯାଇଥିବା କଥା ଛତିଶଗଡ଼ ପୁଲିସ କହିଛି।
ପୁଲିସ କହିବା ଅନୁସାରେ, ସେ ମହିଳାଙ୍କ ସ୍ୱାମୀ ଦୋମାର ପଟେଲ୍ ତାଙ୍କୁ ନିୟମିତ ବାଡ଼ିରେ ପିଟିବା ସହ ଲାତଗୋଇଠା ମାରୁଥିଲେ। ଦଶ ବର୍ଷ ହେବ ତାଙ୍କୁ ଅଳ୍ପ କିମ୍ବା ଆଦୌ ଖାଇବାକୁ ଦିଆଯାଉ ନ ଥିଲା। ଯଦି ତାଙ୍କର ପିଲାମାନେ ତାଙ୍କୁ କିଛି ଖାଇବାକୁ ଦେଉଥିଲେ, ସେମାନେ ମଧ୍ୟ ମାଡ଼ ଖାଉଥିଲେ।
ଦଶବର୍ଷ ହେବ ସେ ଦମ୍ପତିଙ୍କର ବିବାହ ହୋଇଥିଲା ଓ ତାଙ୍କର ଦୁଇଟି ପିଲା ଅଛନ୍ତି। ଅନ୍ୟ ମହିଳାମାନଙ୍କ ସହ ସ୍ୱାମୀଙ୍କର ଥିବା ଅବୈଧ ସମ୍ପର୍କ ଉପରେ ମହିଳାଜଣକ ଆପତ୍ତି ଉଠାଇବାରୁ ସେ ତାଙ୍କୁ ଅପମାନିତ କରି ଚେନ୍ରେ ବାନ୍ଧି ଘରେ ରଖିଥିଲେ।
ଦାମ୍ପତ୍ୟ କଳହ କହି ଉଭୟଙ୍କ ପରିବାର ଏଥିରେ ହସ୍ତକ୍ଷେପ କରି ନ ଥିଲେ। ଅନ୍ୟମାନେ ମଧ୍ୟ ଏହି ଘଟଣାରେ ଦୂରଛଡ଼ା ଦେଇ ରହିଥିଲେ।
ଏ ସଂକ୍ରାନ୍ତରେ ମହିଳା ଅଧିକାର ସଂଗଠନର ଉଦ୍ଧାରକାରୀ ଦଳ ସୂଚନା ପାଇବା ପରେ ପୁଲିସକୁ ଖବର ଦେଇଥିଲେ।
ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ତଦନ୍ତ ଆରମ୍ଭ କରିଛି।
  
 Follow Us