ଗଞ୍ଜେଇ ଚାଲାଣ ବେଳେ ଛତିଶଗଡ଼ରେ ଗିରଫ ହେଲା ଓଡ଼ିଆ ଯୁବକ

ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଖଇରଭାଡି ଗ୍ରାମର ଜଣେ ଯୁବକ ନିଜ ବାଇକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ବେଳେ ଛତିଶଗଡ଼ ଦେଓଭୋଗ ପୁଲିସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି।

bb5db459-9fe2-4e3d-adf3-7d5233fbeb96

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଖଇରଭାଡି ଗ୍ରାମର ଜଣେ ଯୁବକ ନିଜ ବାଇକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଛତିଶଗଡ଼ ଦେଓଭୋଗ ପୁଲିସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି।

ସୂଚନାରୁ ପ୍ରକାଶ ଆଜି ସନ୍ଧ୍ୟାରେ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଖଇରଭାଡି ଗ୍ରାମର ଲମ୍ବୋଦର ସାହୁଙ୍କ ପୁଅ ଲିଙ୍ଗରାଜ ସାହୁ (୩୫) ନିଜ ବାଇକ (ସିଜି ୨୩ଏଚ୍‌ ୩୭୧୮)ରେ ଦୁଇଟି ବ୍ୟାଗରେ ୩୪କିଲୋ ୭୦ ଗ୍ରାମ  ଗଞ୍ଜେଇ ନେଇ ଛତିଶଗଡ଼ର ରାଜଧାନୀ ରାୟପୁର ଅଭିମୁଖେ ଯାଉଥିବା ସମୟରେ ଗୋହରାପଦର ଠାରେ ପୁଲିସ ର ଯାଞ୍ଚ ସମୟରେ ଧରାପଡିଥିଲା। ଦେଓଭୋଗ ଥାନାରେ ଲିଙ୍ଗରାଜ ସାହୁଙ୍କ ନାମରେ ଏନଡିପିଏସ ମାମଲା ରୁଜୁ କରିବା ସହ ଗଞ୍ଜେଇ ବୋଝେଇ ବାଇକ୍‌କୁ ଜବତ କରିବା ସହ ତଦନ୍ତ ଜାରି ରହିଛି।

ପ୍ରକାଶ ଥାଉକି ଚନ୍ଦାହାଣ୍ଡି ବ୍ଲକରେ ଦୀର୍ଘଦିନ ହେବ ଗଞ୍ଜେଇ କାରବାର ବଢୁଥିବା ସହ ବିଭିନ୍ନ ଚା’-ପାନ ଦୋକାନରେ ଗଞ୍ଜେଇ ସିଗାରେଟ ବିକ୍ରି ହେଉଥିବା ନେଇ କିଛି ଦିନ ପୂର୍ବରୁ ସମ୍ବାଦ ରେ ଖବର ପ୍ରକାଶ ପାଇଥିଲା। 

ତେବେ ଚନ୍ଦାହାଣ୍ଡି ପୁଲିସ ଖବର ପ୍ରକାଶ ପାଇବା ପରେ ହାତକୁ ହାତ ବାନ୍ଧି ବସିଥିବା ବେଳେ ସୀମାନ୍ତରେ ଏହି ଅନୈତିକ ଗଞ୍ଜେଇ କାରବାର ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି। ଚନ୍ଦାହାଣ୍ଡିରୁ ବହୁ ନାମିଦାମୀ ଯୁବକ ଏହି କାରବାରରେ ଲିପ୍ତ ଥିବା ବେଳେ ପୁଲିସର ନିଷ୍କ୍ରିୟତା ପରୋକ୍ଷରେ ଗଞ୍ଜେଇ ବ୍ୟବସାୟୀଙ୍କୁ ସୁହାଉଥିବା ଭଳି ମନେ ହେଉଛି।

ଏହି ଚଢ଼ାଉରେ ଦେଓଭୋଗ ଥାନା ଏଏସ୍‌ଆଇ, କୁମାର ଲାଲ ମହିଳାଙ୍ଗ, ହେଡ଼ କନେଷ୍ଟେବଲ ନିମିଚନ୍ଦ ପଟେଲ, କାପୁରଚନ୍ଦ ନେତାମ ପ୍ରମୁଖ ସାମିଲ ଥିଲେ। ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe