ଖଣ୍ଡଗିରି: ଗତ ନଭେମ୍ବର ମାସରେ ଡୁମୁଡୁମା ରଘୁନାଥନଗରରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଫେରାର୍ ଥିବା ଅନ୍ୟତମ ଅଭିଯୁକ୍ତ ସନ୍ତୋଷ କମଲ(୨୨)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ, ସନ୍ତୋଷ ନାଁରେ ରୁଜୁ ହୋଇଥିବା ୬ଟି ମାମଲା ମଧ୍ୟରେ ଏକ ହତ୍ୟା ଉଦ୍ୟମ ମାମଲା ରହିଛି। ଗତ ଅକ୍ଟୋବର ୩୦ ତାରିଖରେ ସରକନ୍ତରାର ଅଗ୍ନି ଷଡ଼ଙ୍ଗୀକୁ ମରଣାନ୍ତକ ଆକ୍ରମଣ କରିବା, ପରେ ପରେ ୨ ତାରିଖରେ ଡୁମୁଡୁମା ଛକସ୍ଥିତ ଜଗାବଳିଆ ହୋଟେଲ ପୋଡ଼ିବା, ସେହି ଦିନ ରାତିରେ ବସ୍ତିବାସିନ୍ଦାଙ୍କୁ ମତାଇ ଖଣ୍ଡଗିରି ଥାନା ପୁଲିସକୁ ଆକ୍ରମଣ କରିବା ଓ ତାଙ୍କ ସାହିର ଜଣେ ମହିଳା ବଙ୍ଗାଳୀ ବେହେରା ଓ ତାଙ୍କ ପୁଅକୁ ଆକ୍ରମଣ କରିବା ଆଦି ଗଣ୍ଡଗୋଳରେ ସନ୍ତୋଷ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ ଯେ ସରକନ୍ତରା ଗାଁର ଆକାଶ, ଅଗ୍ନି ଓ ବଳିଆଙ୍କ ସହ ରଘୁନାଥନଗରର କିଛି ଯୁବକଙ୍କ ଗଣ୍ଡଗୋଳ ଘଟିଥିଲା। ପରେ ଏହା ଗୋଷ୍ଠୀସଂଘର୍ଷର ରୂପ ନେଇଥିଲା। ଦୁଇପକ୍ଷ ଛକାପଞ୍ଝା ହୋଇ ପରସ୍ପରକୁ ଆକ୍ରମଣ କରିଥିଲେ। ପରିସ୍ଥିତି ଏମିତି ଭୟଙ୍କର ହୋଇଥିଲା ଯେ ଶେଷରେ ପୁଲିସ ବସ୍ତିବାସିନ୍ଦାଙ୍କ ଆକ୍ରମଣର ଶିକାର ହୋଇଥିଲା। ଏହି ମାମଲାରେ ଆକାଶ ଗ୍ୟାଙ୍ଗ୍ର ୬ ଜଣ ଗିରଫ ହୋଇ ଜେଲ୍ରେ ଅଛନ୍ତି। ସେହିଭଳି ରଘୁନାଥନଗରରୁ ୩୦ ଜଣ ଗିରଫ ହୋଇଥିଲେ ଓ ଏବେ ଜାମିନ୍ରେ ଫେରିଛନ୍ତି।
ରଘୁନାଥନଗର ଗୋଷ୍ଠୀ ସଂଘର୍ଷ ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ
Advertisment
Follow Us