ଓଆରଏଚ୍‌ଡିସି ଦୁର୍ନୀତି ମାମଲା : ଦୁଇଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍‌

Advertisment
ଓଆରଏଚ୍‌ଡିସି ଦୁର୍ନୀତି ମାମଲା : ଦୁଇଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍‌

ଭୁବନେଶ୍ୱର : ବହୁଚର୍ଚ୍ଚିତ ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ୍‌ (ଓଆର୍‌ଏଚ୍‌ଡିସି) ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨ ତତ୍କାଳୀନ ଅଧିକାରୀଙ୍କୁ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଆଜି ଦଣ୍ଡିତ କରିଛନ୍ତି। ଉଭୟଙ୍କୁ ୩ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ସହ ୭୫ ହଜାର ଟଙ୍କା ଜରିମାନା କରିଛନ୍ତି। ସେମାନେ ହେଲେ, ଓଆର୍‌ଏଚ୍‌ଡିସିର ତତ୍କାଳୀନ ଆକାଉଣ୍ଟ ଅଫିସର୍‌ ପ୍ରଦୀପ ରାଉତ ଓ ଆକାଉଣ୍ଟାଣ୍ଟ ଚିତ୍ତରଂଜନ ମଲ୍ଲିକ। ଏହି ୨ ଜଣ ଭିଜିଲାନ୍ସ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଫେରାର୍‌ ହୋଇ ଯାଇଥିଲେ। ଆଜି ଉଭୟ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିବା ପରେ କୋର୍ଟ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ଓଆର୍‌ଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟ ଗତ ମାସ ୪ ତାରିଖରେ ଆଇଏଏସ ବିନୋଦ କୁମାରଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରଦୀପ ରାଉତ, ଚିତ୍ତରଞ୍ଜନ ମଲ୍ଲିକ, ଆଶିଷ ନାୟକ ଓ ସଞ୍ଜୟ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ କେବଳ ସଞ୍ଜୟ ମହାନ୍ତି କୋର୍ଟରେ ହାଜର ହୋଇଥିଲେ। କୋର୍ଟ ତାଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ଓ ୭୫ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ। ଅନ୍ୟ ପାଞ୍ଚଜଣ ଶୁଣାଣି ବେଳେ କୋର୍ଟରେ ଅନୁପସ୍ଥିତ ରହିବା କାରଣରୁ ସେମାନଙ୍କ ବିରୋଧରେ ମାନ୍ୟବର କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଥିଲେ।

ଆଇଏଏସ୍‌ ବିନୋଦ କୁମାର ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇବା ସହିତ ସୁଦ୍ଧା ତଳ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି।

ଏଠାରେ ପ୍ରକାଶଥାଉ କି ୧୯୯୯ ମହାବାତ୍ୟା ପରେ ଓଆର୍‌ଏଚ୍‌ଡିସି ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣକୁ ନେଇ ୫୫ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା। ଏ ନେଇ ୨୦୦୭ ମସିହାରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe