ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଗୁଳିମାଡ଼ରେ ହେଲା ମୃତ୍ୟୁ

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଗୁଳିମାଡ଼ରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜିଟିବି ହସ୍ପିଟାଲରେ ଗୁଳିକାଣ୍ଡ ହୋଇଛି। ଏହି ଗୁଳିକାଣ୍ଡରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ରିୟାଜଜୁଦ୍ଦିନ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜୁନ ୨୩ ତାରିଖରୁ ରିୟାଜଜୁଦ୍ଦିନ ଦିଲ୍ଲୀସ୍ଥିତ ଜିଟିବି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥି‌ଲେ। ଜୁଲାଇ ୧୪ ତାରିଖ ଅର୍ଥାତ ରବିବାର ଅପରାହ୍ନ  ୪ଟା ସମୟରେ ୧୮ବର୍ଷର ଜଣେ ବାଳକ ହଠାତ ଜିଟିବି ହସ୍ପିଟାଲରେ ପହଞ୍ଚିଥିଲା। କେହି କିଛି ବୁଝିବା ପୂର୍ବରୁ ହସ୍ପିଟାଲ ବିଛଣାରେ ପଡ଼ିଥିବା ରିୟାଜଜୁଦ୍ଦିନଙ୍କ ଉପରକୁ ବାଳକ ଗୁଳି କରିଥିଲା। ଏହି ଗୁଳି ରିୟାଜଜୁଦ୍ଦିନଙ୍କ ଶରୀରରେ ବାଜିବା ସଙ୍ଗେସଙ୍ଗେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଡାକ୍ତରମାନେ ଯେତେ ଚେଷ୍ଟା କରିଥିଲେ ହେଁ ତାଙ୍କୁ ବଞ୍ଚାଇ ପାରି ନଥିଲେ।

ହସ୍ପିଟାଲ ପରିଚାଳକ ଓ ଅନ୍ୟ ରୋଗୀମାନେ ଏହି ଗୁଳିକାଣ୍ଡରେ ଭୟଭୀତ ହୋଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରିୟାଜଜୁଦ୍ଦିନଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି।

ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି, ରିୟାଜଜୁଦ୍ଦିନ ନିଶା ସେବନ କରୁଥିଲେ। କିନ୍ତୁ ତାଙ୍କ ନାମରେ କୌଣସି ଅପରାଧିକ ମାମଲା ନାହିଁ। ତେବେ ଏହି ବାଳକ ଜଣକ ତାଙ୍କୁ ହସ୍ପିଟାଲ ବିଛଣାରେ କାହିଁକି ଏପରି ଗୁଳି କଲା ତାହାକୁ ନେଇ ପୁଲିସ ଯାଞ୍ଚ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe