ବାଲିଅନ୍ତା: ଦୁଇ ଦୁଇଟି ବିବାହ କରିବା ପରେ ତୃତୀୟ ବିବାହ ପାଇଁ ବେଦୀରେ ବସିଥିବା ଜଣେ ଯୁବକଙ୍କୁ ବାଲିଅନ୍ତା ଥାନା ପୁଲିସ ଉଠାଇ ନେଇଛି। ଥାନାରେ ଅଟକ ରଖି ପୁଲିସ ତାକୁ ପଚରାଉଚରା ଚଳାଇଛି। ସଂପୃକ୍ତ ଯୁବକଜଣଙ୍କ ହେଲେ, କଟକ ଜିଲ୍ଲା ବାଙ୍କି ଥାନା ଚମ୍ପତ୍ତିପୁର ସାହିର ଶ୍ରୀଧର ସାହୁଙ୍କ ପୁଅ ମାନସ କୁମାର ସାହୁ। ଆଜି ଅପରାହ୍ଣ ପ୍ରାୟ ୨ଟାରେ ସେ ବାଳକାଟି ଫାଣ୍ଡି ଅଧୀନ ମା’ ଦୁଲ୍ଲାଦେବୀ ମନ୍ଦିରରେ ବିବାହ ପାଇଁ ବସିଥିବା ବେଳେ ପୁଲିସ ତାଙ୍କୁ ଟେକି ନେଇଥିଲା। ବିବାହ ପାଇଁ ଆସିଥିବା କନ୍ୟାକୁ ପୁଲିସ ତାଙ୍କ ପରିବାରଲୋକଙ୍କ ଜିମା ଦେଇଛି। ସୂଚନା ଅନୁଯାୟୀ, ମାନସ ୨୦୧୫ରେ ବାଲିଅନ୍ତା ଥାନା ଅଧୀନ ଛଅଘର ସାହିର କବିତା ସାହୁଙ୍କୁ ଦ୍ବିତୀୟ ବିବାହ କରିଥିଲେ। ବିବାହ ପରେ ମାନସ ଓ ତାଙ୍କ ପରିବାରଲୋକ ତାଙ୍କୁ ନିର୍ଯାତନା ଦେବାରୁ ଦୁହେଁ ଅଲଗା ହେବା ପାଇଁ ପଞ୍ଚାୟତ ବୈଠକରେ ଫଇସଲା ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ, ମାନସ ତାଙ୍କୁ ଭରଣପୋଷଣ ଦେବା ସହ ଯୌତୁକ ଟଙ୍କା ଓ ବିବାହ ସମୟରେ ନେଇଥିବା ଅନ୍ୟାନ୍ୟ ଆସବାବପତ୍ର ଫେରାଇବା କଥା। କିନ୍ତୁ ଏହା ନକରି ମାନସ ଆଜି ତୃତୀୟ ବିବାହ ପାଇଁ ପ୍ରସ୍ତୁତି ଚଳାଇଥିଲେ। ଏ ସଂପର୍କରେ କବିତା ଆଜି ବାଲିଅନ୍ତା ଥାନାରେ ଅଭିଯୋଗ କରିବାରୁ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇଥିଲା।
ବିବାହ ବେଦୀରୁ ବରକୁ ଉଠାଇନେଲା ପୁଲିସ
Advertisment
Follow Us