ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଖୁଣ୍ଟାପୁର ଗାଁରେ ମଙ୍ଗଳବାର ସନ୍ଧ୍ୟା ୭ଟା ସମୟରେ ଘଟିଥିବା ଡକାୟତି ମାମଲାରେ ସମ୍ପୃକ୍ତ ଜଣେ ଲୁଟେରାକୁ ଗ୍ରାମବାସୀ ଧରିବା ପରେ ତା ପାଖରୁ ତଥ୍ୟ ସଂଗ୍ରହ କରି ପୁଲିସ ବଡ଼ ସଫଳତା ହାସଲ କରିଛି। ଏହି ଘଟଣାରେ ଜଡ଼ିତ ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଚୋରି ଟଙ୍କା, ସୁନା-ରୂପା ଗହଣା, ଅସ୍ତ୍ର-ଶସ୍ତ୍ର ଓ ଯାନବାହନ ଜବତ କରାଯାଇଛି। ଘଟଣାର ତଦନ୍ତ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳଙ୍କ ତତ୍ୱାବଧାନରେ ବୈଶିଙ୍ଗା ଥାନା ଆଇଆଇସି ବାରିଣୀ ଦାସ କରୁଛନ୍ତି।
ସୂଚନାଯୋଗ୍ୟ, ଗତ ୧୦ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଖୁଣ୍ଟାପୁର ଗାଁର ଶିକ୍ଷକ ଚିନ୍ମୟ କୁମାର ମିଶ୍ର (୫୯)ଙ୍କ ଘରକୁ ୮ ଜଣ ଦୁର୍ବୃତ୍ତ ଘାତକ ଅସ୍ତ୍ର ନେଇ ପ୍ରବେଶ କରିଥିଲେ। ସେମାନେ ଚିନ୍ମୟ ମିଶ୍ରଙ୍କୁ ମରଣାତ୍ମକ ଆକ୍ରମଣ କରି ଘରୁ ନଗଦ ଟଙ୍କା ଓ ସୁନା-ରୁପା ଗହଣା ଲୁଟି ନେଇଥିଲେ। ଏନେଇ ତାଙ୍କ ପତ୍ନୀ ସୁଜାତାରାଣୀ ପତି ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଘଟଣା ପରେ ସ୍ଥାନୀୟ ଲୋକେ ବାଲେଶ୍ୱର ଜିଲ୍ଲା ଶେରଗଡ଼ ଅଞ୍ଚଳର ଜଣେ ଦୁର୍ବୃତ୍ତ ତାପସ କୁମାର ଦାଶଙ୍କୁ ଧରି ପୁଲିସଙ୍କୁ ସମର୍ପଣ କରିଥିଲେ। ପୁଲିସ ତାପସଙ୍କ ଠାରୁ ଅନ୍ୟ ଦୁର୍ବୃତ୍ତଙ୍କ ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରି ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ମୋଟ ୮ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରୁପ୍ସା ଥାନା ବିଞ୍ଛାବଣିଆ ଅଞ୍ଚଳର ବଣ୍ଟି ଓରଫ ଭଗବାନ ସିଂ ଓ ପତଲ ଓରଫ ରାଜୁ ସିଂl ଅନ୍ୟମାନେ ହେଲେ ସ୍ଥାନୀୟ ବୈଶିଙ୍ଗା ଥାନା ଅଧିନସ୍ଥ ନୂଆଗାଁ ଗ୍ରାମର ଶାନ୍ତନୁ ଔରଫ ସୌମ୍ୟରଂଜନ ସିଂହ ଓ ବାପୁନ ଔରଫ ରଜନୀକାନ୍ତ ମହାନ୍ତ, ମହୁଲପାଟଣା ଗ୍ରାମର ଦେବୁ ଔରଫ ଦେବବ୍ରତ ଦାସ, ଖୁଣ୍ଟାପୁର ଗ୍ରାମର ଟିକିଛୁଆ ଔରଫ ଜଗନ୍ନାଥ ସେଠୀ ଓ ପପୁ ଔରଫ ଲକ୍ଷ୍ମୀଧର ବେହେରାl ସେମାନେ ଅଳ୍ପଦିନ ହେବ ଏକ ଗ୍ୟାଙ୍ଗ ଗଠନ କରି ସ୍ଥାନୀୟ ଅଞ୍ଚଳରେ ଚୋରି, ଲୁଟ, ଛିନତାଇ ଓ ଡକାୟତି କାର୍ଯ୍ୟରେ ଜଡିତ ଥିବା ପୁଲିସ ତଦନ୍ତରେ ପ୍ରକାଶ ପାଇଛି।
ଆହୁରି ପଢ଼ନ୍ତୁ: Love Birds End Life: ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେହିଭଳି ଅଭିଯୁକ୍ତମାନଙ୍କ ଠାରୁ ୫,୯୧୦ ଟଙ୍କା ନଗଦ ସହ ଅନେକ ସୁନା ଚେନ, ମଙ୍ଗଳସୂତ୍ର, ବାଲା, ଅଙ୍ଗୁଠି, କାନ ଗହଣା, ରୂପା ଆଳଙ୍କାର ଓ ମୁଦ୍ରା ଜବତ କରାଯାଇଛି। ଟେଲେଙ୍ଗା କଟୁରୀ, ଭୁଜାଲି, ଛୁରୀ, ଲୋହା ରଡ୍, ତରୱାରୀ, ସାଇକେଲ ଚେନ୍ ଭଳି ମାରଣାସ୍ତ୍ର ସହ ୮ଟି ମୋବାଇଲ ଫୋନ୍ ଓ ୨ଟି ସ୍କୁଟି ମଧ୍ୟ ଜବତ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ ସ୍ଥାନୀୟ ଖୁଣ୍ଟାପୁର ଅଞ୍ଚଳର ଦୁଇ ଅଭିଯୁକ୍ତ ଘର ବିଷୟରେ ସୂଚନା ସଂଗ୍ରହ କରି ଗ୍ୟାଙ୍ଗକୁ ଦେଇଥିଲେ। ଘରଟି ନିର୍ଜନ ସ୍ଥାନରେ ଥିବାରୁ ଦୁର୍ବୃତ୍ତମାନେ ସହଜରେ ଡକାୟତି କରିଥିଲେ।
ଆହୁରି ପଢ଼ନ୍ତୁ: Heroin Seized: ବଢ଼ିଚାଲିଛି ବେଆଇନ ନିଶା କାରବାର; ବିକି ପାରିଲେନି ହେରୋଇନ
ଏନେଇ ଗୁରୁବାର ସନ୍ଧ୍ୟାରେ ବୈଶିଙ୍ଗା ଥାନାରେ ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲିଙ୍କ ନେତୃତ୍ୱରେ ଏସଡିପିଓ ମିନତୀ ବିଶ୍ୱାଳ ଓ ଥାନା ଅଧିକାରୀ ବାରିଣୀ ଦାସଙ୍କ ଉପସ୍ଥିତିରେ ଏକ ପ୍ରେସ ମିଟ ଆୟୋଜିତ ହୋଇଥିଲା, ଯେଉଁଥିରେ ଏସପି ସବିଶେଷ ତଥ୍ୟ ପ୍ରଦାନ କରିଥିଲେl ତେବେ ଏହି ମାମଲାରେ ଆଉ ୨ ଜଣ ଅଭିଯୁକ୍ତ ପଳାତକ ରହିଥିବା ବେଳେ ସେମାନଙ୍କୁ ଖୁବ ଶୀଘ୍ର ଧରିବା ପାଇଁ ପୁଲିସ ଚେଷ୍ଟା ଜାରି ରଖିଛି।
Follow Us