ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ କର୍ତ୍ତୃପକ୍ଷ (ଓଆରଏଚ୍ଡିସି) ଦୁର୍ନୀତି ମାମଲାରେ ପ୍ରଦୀପ ରାଉତ ଓ ଚିତ୍ତ ମଲ୍ଲିକଙ୍କୁ ବୁଧବାର ଜେଲଦଣ୍ଡ ହୋଇଛି। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମାମଲାର ଶୁଣାଣି କରି ଉଭୟଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଓଆରଏଚ୍ଡିସି ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ ଓ ଚିତ୍ତ ମଲ୍ଲିକ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ।
ଗତ ଜୁଲାଇ ୪ରେ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ଓଆରଏଚ୍ଡିସି ପୂର୍ବତନ ନିର୍ଦ୍ଦେଶକ ବିନୋଦ କୁମାରଙ୍କ ନିବାସରେ ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ପ୍ରଦୀପ ରାଉତଙ୍କ ଭୁବନେଶ୍ୱର ନିଳାଦ୍ରୀ ବିହାର ଅଞ୍ଚଳରେ ଥିବା ନିବାସରେ ଚଢ଼ାଉ କରାଯାଇଥିଲା। ନୟାପଲ୍ଲୀ ଭିଆଇପି କଲୋନିସ୍ଥିତ ବିନୋଦ କୁମାରଙ୍କ ଅଫିସ ନିବାସରେ ୫ ଜଣିଆ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଘଟଣା ଦିନ ଭିଜିଲାନ୍ସକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିଲା। ବର୍ଷ ୨୦୦୦ ମସିହାରେ ୫୫ ଲକ୍ଷ ଆର୍ଥିକ କାରବାରରେ ଦୁର୍ନୀତି କରିଥିବା ନେଇ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିନୋଦ କୁମାର ଓ ଅନ୍ୟ ୫ ଜଣଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା।
Follow Us