ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଆମ୍ବେଗାଓଁ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଲଡୁ ଭିତରୁ ମଣିଷର ଏକ କଟା ଆଙ୍ଗୁଳି ମିଳିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଗୋହେ ବୁଡ଼ରୁକ ବାସିନ୍ଦା ରାମଚନ୍ଦ୍ର ପୋଟକୁଲେଙ୍କ ପରିବାର ସ୍ଥାନୀୟ ମିଠା ଦୋକାନରୁ ଲଡୁ କିଣିଥିଲେ। ଏହି ଲଡ଼ୁ ନେଇ ସମସ୍ତେ ଘରେ ପହଞ୍ଚିଥିଲେ। ଘରେ ପହଞ୍ଚି ପରିବାରଲୋକେ ମିଶି ଉକ୍ତ ମିଠା ଖାଉଥିବା ସମୟରେ ସେଥିରୁ ମଣିଷର ଏକ କଟା ଆଙ୍ଗୁଳି ବାହାରିଥିବା ଦେଖିବାକୁ ମିଳିଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବୋଧ ହୁଏ ଏହି ଆଙ୍ଗୁଳି ଆକସ୍ମିକ ଭାବରେ ଲଡୁ ତିଆରି ପାଇଁ ଥିବା ବ୍ୟାଟରରେ ମିଶିଯାଇଛି। ଲଡୁ ପ୍ରସ୍ତୁତ ପାଇଁ କାମ କରୁଥିବା ବେଳେ କୌଣସି ହୋଟେଲ କର୍ମଚାରୀଙ୍କ ଆଙ୍ଗୁଳି ବୋଧ ହୁଏ ମେସିନରେ କଟି ଯାଇଥିବ। ଯଦ୍ବାରା ଆଙ୍ଗୁଳିଟି ଲଡ଼ୁ ତିଆରି ସାମଗ୍ରୀରେ ମିଶି ଯାଇଥିବ।
ଏହି ଘଟଣା ପରେ, ରାମଚନ୍ଦ୍ର ପୋଟକୁଲେଙ୍କ ପରିବାରର କିଛି ସଦସ୍ୟ ବାନ୍ତି ଏବଂ ଝାଡ଼ାର ଶିକାର ହୋଇଥିଲେ। ତେଣୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି।
ପ୍ରଶାସନ ଘଟଣାର ଗମ୍ଭୀରତାକୁ ବିଚାର କରି ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛି। ଏହି ଅବହେଳା ସମ୍ପର୍କରେ ସ୍ଥାନୀୟ ଲୋକମାନେ ଖାଦ୍ୟ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବା ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
Follow Us