ରାଞ୍ଚି: ସମୟସମୟରେ  କଏଦୀମାନଙ୍କ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହାକୁ ଦେଖିବା ପରେ ଜେଲ ଭିତରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଏମିତି ଏକ ଭିଡିଓ କିଛିଦିନ ହେବ ସୋସିଆଲ ମିଡିଆରେ ଘୁରି ବୁଲୁଛି।

Advertisment

ଏହି ଭିଡିଓଟି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଥିବା ବିର୍ସା ମୁଣ୍ଡା କେନ୍ଦ୍ରୀୟ କାରାଗାରର ବୋଲି ଦାବି କରାଯାଉଛି।  ମାତ୍ର ୧୭ ସେକେଣ୍ଡ ଭିଡିଓରେ ଦୁଇଜଣ କଏଦୀ ଜେଲ ଭିତରେ ନାଚୁଥିବା ଦେଖିବାକୁ ମିଳୁଛି। ଏହି ଘଟଣା ପରେ ଜେଲ ପ୍ରଶାସନକୁ ଲୋକେ ଅନେକ ପ୍ରକାର ପ୍ରଶ୍ନବାଣରେ ଘେରି ଯାଇଛନ୍ତି। 

ଜେଲ ଭିତରେ ଖୁସିରେ ଝୁମୁଛନ୍ତି ଦୁଇ କଏଦୀ

ଭିଡିଓ ଭାଇରାଲ ହେବାରେ ନୃତ୍ୟ କରୁଥିବା ଦୁଇଜଣ କଏଦୀଙ୍କ ନାମ ବିଧୁ ଗୁପ୍ତା ଏବଂ ଭିକି ଭାଲୋଟିଆ ଥିବା ଜଣାପଡ଼ିଛି।। ଉଭୟଙ୍କୁ ଜେଲ ଭିତରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସହିତ ସ୍ୱତନ୍ତ୍ର କୋଠରି ଦିଆଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି। ବିଧୁ ଗୁପ୍ତାଙ୍କୁ କୋଟିକୋଟି ଟଙ୍କାର ମଦ ଦୁର୍ନୀତି ଓ ଭିକି ଭାଲୋଟିଆଙ୍କୁ ଜିଏସଟି ଠକେଇ ମାମଲାରେ ଗିରଫ କରାଯାଇ ଜେଲ ହୋଇଛି। ତେବେ ଏହି ଦୁଇଜଶ ଅଭିଯୁକ୍ତ ସାଧାରଣ କଏଦୀ ଥିବା ବେଳେ ସେମାନଙ୍କୁ ରହିବାକୁ ଦିଆଯାଇଛି ସ୍ବତନ୍ତ୍ର କୋଠରି।

ଭିଡିଓ ଭାଇରାଲ ହେବା ପରେ ଜେଲ ପ୍ରଶାସନ ତୁରନ୍ତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତରେ ଅବହେଳା ହେବା ହେତୁ ଦୁଇ ଅଧିକାରୀଙ୍କୁ ଏହି ଘଟଣାରେ ନିଲମ୍ବନ କରାଯାଇଛି। ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ସହାୟକ ଜେଲର ଦେବନାଥ ରାମ ଏବଂ ଜେଲର ବିନୋଦ କୁମାର ଯାଦବ ଅଛନ୍ତି।

ଦୁଇ କଏଦୀଙ୍କ ନୃତ୍ୟ ଭିଡିଓ ଭ‌ାଇରାଲ ପରେ ଜେଲ ପ୍ରଶାସନ ଉପରେ ପଡ଼ିଲା ଚଡ଼କ

 ଜେଲ ଭିତରେ ମୋବାଇଲ ଫୋନ୍ କିପରି ପ୍ରବେଶ ହେଲା ଏବଂ କାହା ଅନୁମତିରେ କଏଦୀମାନଙ୍କୁ ବିଶେଷ ସୁବିଧା ଓ ସୁଯୋଗ ଦିଆଯାଉଛି ଇତ୍ୟାଦି ଦିଗରେ ଜେଲ ପ୍ରଶାସନ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ଝାଡ଼ଖଣ୍ଡ ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା କେବଳ ଜେଲ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ ନାହିଁ ବରଂ ପ୍ରଭାବଶାଳୀ କଏଦୀମାନଙ୍କୁ କିପରି ଜେଲ ଭିତରେ ସ୍ୱତନ୍ତ୍ର ସୁବିଧା-ସୁଯୋଗ ପ୍ରଦାନ କରାଯାଉଛି ତାହା ମଧ୍ୟ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

ଅଧିକପଢ଼ନ୍ତୁ:ଦରମା ବୃଦ୍ଧି ପାଇବା ପରେ ରୋବର୍ଟ ସହିତ ଝୁମିଲେ ଏଲନ

ଅଧିକପଢ଼ନ୍ତୁ:ଇଣ୍ଡୋନେସିଆ ସ୍କୁଲରେ ବିସ୍ଫୋରଣ, ୫୪ ଆହତ