ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ମଙ୍ଗଳବାର ଜଣେ ଆଇପିଏସ୍ ଅଧିକାରୀ ନିଜର ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରି ଦେଇଛନ୍ତି। କୁହାଯାଉଛି କି ଉକ୍ତ ଆଇପିଏସ୍ ଅଧିକାରୀ ଜଣକ ଅନେକ ଦିନ ହେବ ଚିନ୍ତାରେ ରହୁଥିଲେ। ତେବେ ମୃତ ଆଇପିଏସ୍ ଅଧିକାରୀଙ୍କ ନିକଟରୁ ସୁଇସାଇଡ ନୋଟ ଜବତ କରାଯାଇଛି। ଏଥିରେ ସେ ମୃତ୍ୟୁ ପାଇଁ ନିଜେ ଦାୟୀ ବୋଲି ଉଲ୍ଲେଖ କରିଛନ୍ତି।
ଜଣେ ପୁଲିସ ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ମଙ୍ଗଳବାର ଗୋମତି ନଗରସ୍ଥିତ ନିଜ ଘରେ ପୂର୍ବତନ ପୁଲିସ ଅଧିକାରୀ ଦିନେଶ ବର୍ମା ନିଜକୁ ନିଜେ କୋଠରୀରେ ଗୁଳିମାରି ଜୀବନ ହାରି ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦିନେଶ ବର୍ମାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ଏହି ଘଟଣାର ଯାଞ୍ଚ ବି ଆରମ୍ଭ କରିଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପୂର୍ବତନ ପୁଲିସ ଅଧିକାରୀ ଦିନେଶ ବର୍ମାଙ୍କ ଘରୁ ଗୁଳିଫୁଟିବାର ଶୁବ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ପରିବାରଲୋକ ତାଙ୍କ ରୁମକୁ ଦୌଡ଼ି ଯାଇଥିଲେ। ସେଠାରେ ପୁଲିସ ଅଧିକାରୀଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ପରିବାରଲୋକ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲା। ତେବେ ଦିନେଶ ବର୍ମା ଅନେକ ଦିନ ହେବ ଚିନ୍ତାରେ ରହୁଥିଲେ। ଏଥିପାଇଁ ସେ ଔଷଧ ବି ସେବନ କରୁଥିବା ଜଣାପଡ଼ିଛି। ହଠାତ୍ ସେ ଏଭଳି ଚରମ ପଦକ୍ଷେପ ନେବେ ତାହା କେହି ବି ବିଶ୍ବାସ ହେଉନାହିଁ ବୋଲି ପରିବାରଲୋକ କହିଛନ୍ତି।
Follow Us