ସରକାରୀ ହସ୍ପିଟାଲ ମୃତ ଘୋଷଣା କରିଥିବା ଗର୍ଭସ୍ଥ ଶିଶୁ ଘରୋଇ ହସ୍ପିଟାଲରେ ନେଲା ଜନ୍ମ; ମା’ ଓ ଶିଶୁ ଉଭୟ ଅଛନ୍ତି ସୁସ୍ଥ

ମଧ୍ୟପ୍ରଦେଶର ସତନା ଜିଲ୍ଲାର ସରକାରୀ ହସ୍ପିଟାଲ ମୃତ ଘୋଷଣା କରିଥିବା ଗର୍ଭସ୍ଥ ଶିଶୁ ଘରୋଇ ହସ୍ପିଟାଲରେ ନେଲା ଜନ୍ମ; ମା’ ଓ ଶିଶୁ ଉଭୟ ଅଛନ୍ତି ସୁସ୍ଥ । ଶିଶୁର ଓଜନ ୩.୮ କିଲୋଗ୍ରାମ।

hospital

ସତନା : ମଧ୍ୟପ୍ରଦେଶର ସତନା ଜିଲ୍ଲାର ସରକାରୀ ହସ୍ପିଟାଲରେ ଘଟିଥିବା ଅବହେଳା ଘଟଣାକୁନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ସୋମବାର ଏବଂ ମଙ୍ଗଳବାର ମଧ୍ୟବର୍ତ୍ତୀ ରାତିରେ ରାମପୁର ବାଘେଲାନ ଥାନା ଅଞ୍ଚଳର ଚକେରା ଗାଁର ୨୪ ବର୍ଷୀୟା ଦୁର୍ଗା ଦ୍ୱିବେଦୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ  ହୋଇଯାଇଥିଲା। ସ୍ୱାମୀ ରାହୁଲ ଦ୍ୱିବେଦୀ ଦୁର୍ଗାଙ୍କୁ ଅମରପାଟନ ସିଭିଲ୍ ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତରମାନେ ଦୁର୍ଗାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କହି ସତନା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରି ଦେଇଥିଲେ। 
ସତନା ଜିଲ୍ଲା ହସ୍ପିଟାଲରେ ପହଞ୍ଚିବା ପରେ ମେଡିକାଲ କଲେଜର ଡାକ୍ତର ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ପରୀକ୍ଷାରୁ ସେମାନେ ଦୁର୍ଗାଙ୍କୁ କହିଥିଲେ କି ତାଙ୍କ ଗର୍ଭସ୍ଥ ଶିଶୁର କୌଣସି ହୃଦସ୍ପନ୍ଦନ ଶୁଣା ଯାଉନାହିଁ। ଶିଶୁ ମୃତ ତେଣୁ ଅପରେସନ କରିବାକୁ ପଡ଼ିବ।

ଡାକ୍ତରଙ୍କ କଥାକୁ ଦୁର୍ଗାଙ୍କ ସ୍ବାମୀ ବିଶ୍ବାସ କରି ପାରି ନଥିଲେ। ସେ ସଙ୍ଗେସଙ୍ଗେ ଦୁର୍ଗାଙ୍କୁ ଆମ୍ବୁଲାନ୍ସ ଯୋଗେ ସରକାରୀ ହସ୍ପିଟାଲରୁ ସତନାର ଏକ ଘରୋଇ ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ। ଘରୋଇ ହସ୍ପିଟାଲ ଯେଉଁ ରିପୋର୍ଟ ଦେଇଥିଲା ତାହା ଶୁଣି ରାହୁଲ ଓ ତାଙ୍କ ପରିବାର ଖୁସି ହୋଇଯାଇଥିଲେ। ଘରୋଇ ହସ୍ପିଟାଲ ରିପୋର୍ଟ ଦେଇ କହିଥିଲେ ଦୁର୍ଗାଙ୍କ ଗର୍ଭସ୍ଥ ଶିଶୁଟି ସମ୍ପୂର୍ଣ୍ଣ ଜୀବିତ ଅଛି। ତାଙ୍କ ହୃଦସ୍ପନ୍ଦନ ସ୍ୱାଭାବିକ ରହିଛି। ଏହାପରେ ଡାକ୍ତରମାନେ ଦୁର୍ଗାଙ୍କ ସିଜାରିଆନ୍ ଅସ୍ତ୍ରୋପଚାର କରିଥିଲେ। ସୁରକ୍ଷିତ ଭାବେ ଦୁର୍ଗା  ୩.୮ କିଲୋଗ୍ରାମ ଓଜନର ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ।

ଏହି ମାମଲା କେବଳ ଏକ ଡାକ୍ତରୀ ଭୁଲ ନୁହେଁ, ଏହା ବ୍ୟବସ୍ଥାର ବିଫଳତାର ଏକ ବଡ଼ ଉଦାହରଣ। ଯଦି ପରିବାର ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିଥାନ୍ତେ, ତେବେ ଏକ ଜୀବିତ ଶିଶୁକୁ ମୃତ ବୋଲି ବିବେଚନା କରାଯାଇଥାନ୍ତା ଏବଂ ବଳପୂର୍ବକ ଗର୍ଭପାତ କରାଯାଇଥାନ୍ତା।

ସିଏମଏଚଓ ଏଲ.କେ. ତିୱାରୀ କହିଛନ୍ତି ଯେ "ବିଷୟଟି ନଜରକୁ ଆସିଛି। ଘଟଣାରେ ସମ୍ପୃକ୍ତ ଥିବା ଡାକ୍ତରଙ୍କୁ ରିପୋର୍ଟ ମଗାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe