ଲକ୍ଷ୍ମୌ: ଉତ୍ତରପ୍ରଦେଶର ଜୌନପୁରର ବୃଦ୍ଧାଶ୍ରମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଅନେକ ବର୍ଷ ହେବ ଗୋରଖପୁରର ବାସିନ୍ଦା ଶୋଭା ଦେବୀ ଜୌନପୁରର ବୃଦ୍ଧାଶ୍ରମରେ ରହି ଆସୁଥି୍ଲେ। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ଅସୁସ୍ଥତା କାରଣରୁ ନିକଟରେ ତାଙ୍କର ମୃତ୍ୟୁ ହୋଇଗଲା। ମୃତ୍ୟୁପରେ ବୃଦ୍ଧାଶ୍ରମର ଅଧିକାରୀମାନେ ବୃଦ୍ଧାଙ୍କ ପୁଅଙ୍କୁ ଖବର ଦେଇଥିଲେ। ଖବର ପାଇ ପୁଅ ଉତ୍ତର ଦେଇ କହିଥିଲେ, ‘ଘରେ ଏବେ ବିବାହ କାର୍ଯ୍ୟକ୍ରମ ଚାଲିଛି। ମା’ ମୃତଦେହକୁ ତିନିଚାରିଦିନ ପାଇଁ ଫ୍ରିଜରେ ରଖି ଦେଇଥାଆନ୍ତୁ। ସମୟ ହେଲେ ମୁଁ ଯାଇ ନେଇ ଆସିବି।’
ପୁଅ ଘରୁ ତଡ଼ି ଦେବାପରେ ବୃଦ୍ଧାଶ୍ରମରେ ବାପା ଓ ମା’
ଗୋରଖପୁରରେ ବସବାସ କରୁଥିବା ଭୁଆଲ ଗୁପ୍ତା ଜଣେ କିରାଣା ବ୍ୟବସାୟୀ ଥିଲେ। ଭୁଆଲ ତାଙ୍କ ଧର୍ମପତ୍ନୀ ଶୋଭା ଦେବୀଙ୍କ ସହିତ କେପିୟର ଗଞ୍ଜର ଭରୋଇୟା ଗ୍ରାମରେ ତିନିପୁଅ ଓ ଝିଅଙ୍କ ସହିତ ବସବାସ କରୁଥିଲେ। ପୁଅ ଓ ଝିଅ ସମସ୍ତଙ୍କ ବିବାହ ହୋଇସାରିଛି। ଭୁଆଲଙ୍କୁ ବର୍ଷକ ପୂର୍ବରୁ ପାରିବାରିକ ବିବାଦ ପାଇଁ ତାଙ୍କ ବଡ଼ ପୁଅ ଘରୁ ତଡ଼ି ଦେଇଥିଲା। ଏହାପରେ ଭୁଆଲ ଜୀବନ ହାରି ଦେବା ପାଇଁ ଯାଇଥିଲେ। କିନ୍ତୁ କିଛିଲୋକ ତାଙ୍କୁ ଉଦ୍ଧାର କରି ଅଯୋଧ୍ୟା କିମ୍ବା ମଥୁରା ଯାଇ ରହିବାକୁ ପରାମର୍ଶ ଦେଇଥିଲେ। ବୃଦ୍ଧ ଦମ୍ପତି ପ୍ରଥମେ ଅଯୋଧ୍ୟା ତା’ପରେ ଆସି ମଥୁରାରେ ପହଞ୍ଚିଥିଲେ କିନ୍ତୁ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ମିଳି ନଥିଲା। ମଥୁରାରେ ଲୋକମାନେ ତାଙ୍କୁ ଜୌନପୁର ବୃଦ୍ଧାଶ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ
ଏ ସୂଚନା ପାଇ ଭୁଆଲ ତାଙ୍କ ଧର୍ମପତ୍ନୀ ଶୋଭାଙ୍କୁ ଧରି ଜୌନପୁର ବୃଦ୍ଧାଶ୍ରମରେ ଆସି ପହଞ୍ଚିଯାଇଥିଲେ। ସେବେଠାରୁ ବୃଦ୍ଧ ଦମ୍ପତି ଉକ୍ତ ବୃଦ୍ଧାଶ୍ରମରେ ରହି ଆସୁଥିଲେ।କିଛିମାସ ହେବ ଶୋଭା ଦେବୀଙ୍କ ଗୋଡ଼ରେ କିଛି ଅସୁବିଧା ପରିଲକ୍ଷିତ ହୋଇଥିଲା। ଚିକିତ୍ସା ପାଇଁ ବୃଦ୍ଧାଶ୍ରମ କର୍ମଚାରୀମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ସେଠାରେ ଶୋଭା ଦେବୀଙ୍କୁ ଦେଖି ଚିକିତ୍ସା କରି ଔଷଧ ଦେଇଥିଲେ। ଗତ ନଭେମ୍ବର ୧୯ ତାରିଖରେ ଶୋଭା ଦେବୀଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଅଧିକପଢ଼ନ୍ତୁ:ଧର୍ମେନ୍ଦ୍ରଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଝିଅ ବାହାଘର ଚାଲିଥିବାରୁ ମା’ର ମୃତଦେହ ନେବାକୁ ମନା କଲା ପୁଅ
ଶୋଭାଙ୍କ ମୃତ୍ୟୁପରେ ବୃଦ୍ଧାଶ୍ରମ କର୍ମଚାରୀ ତଥା ଭୁଆଲ ତାଙ୍କ ପୁଅମାନଙ୍କୁ ଫୋନ କରି ଏହି ଦୁଃଖଦ ଘଟଣା ବିଷୟରେ ଜଣାଇଥିଲେ। ପୁଅ ମା’ର ମୃତ୍ୟୁ ଖବର ପାଇବା ପରେ ବାପାଙ୍କୁ କହିଥିଲା, ‘ ମୋ ଝିଅର ବାହାଘର ଅଛି। ମା’ର ମୃତଦେହକୁ କିଛିଦିନ ପାଇଁ ଫ୍ରିଜରେ ରଖି ଦେଇଥାଅ। ସମୟ ହେଲେ ଆଣିବି। ମୃତଦେହ ଏବେ ଘରକୁ ଆଣିଲେ ବିବାହ କାମ ସବୁ ଅପବିତ୍ର ହୋଇଯିବ।ତେବେ ଶୋଭାଙ୍କ ମୃତ୍ୟୁ ଖବର ପରିବାରର ଅନ୍ୟ ସଦସ୍ୟମାନେ ପାଇବା ପରେ ସେମାନେ ମୃତଦେହ ଗୋରଖପୁରକୁ ଆଣିଥିଲେ। ଗୋରଖପୁରରେ ଶୋଭାଙ୍କ ମୃତଦେହ ପହଞ୍ଚିବା ପରେ ପୁଅ ସଂସ୍କାର କରିବା ବଦଳରେ ମାଟିତଳେ ପୋତି ଦେଇଥିଲା। ଆଉ ବାପା ଭୁଆଲଙ୍କୁ କହିଥିଲା, ‘ଏବେ ମା’ର ମୃତଦେହ ମାଟିତଳେ ଥାଉ। କାମ ସାରିଲେ ତିନିଚାରିଦିନ ପରେ ବାହାର କରି ଅନ୍ତିମ ସଂସ୍କାର କରିବା।’
ଏହି ଘଟଣାରେ ଭୁଆଲ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ସେ କାହାକୁ କିଛି ନକହି ଗୋଟିଏ କୋଣରେ ଚୁପଚାପ ବସି ରହିଛନ୍ତି। ତାଙ୍କ ଆଖିରୁ ଧାରଧାର ହୋଇ ଲୁହ ଗଢ଼ି ଚାଲିଛି।
ଅଧିକପଢ଼ନ୍ତୁ:ମଧୁମେହରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହିସବୁ ଯୋଗ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/24/untitled-3-2025-11-24-17-31-36.jpg)