ନୂଆଦିଲ୍ଲୀ: ତାମିଲନାଡୁର କରୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲ ବିଛଣାରେ ଆହତ ହୋଇ ଅଚେତ ଅବସ୍ଥାରେ ପଡ଼ିଥିବା ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ଭି ଶ୍ରୁତି ବୟସ ୨୭ ବର୍ଷ ଥିବା ବେଳେ ସେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ଅଭିଯୁକ୍ତ ସ୍ୱାମୀଙ୍କ ନାମ ଆର ଭି ଶ୍ରୁତ ବୟସ ୨୮ବର୍ଷ ଥିବା ଜଣାପଡ଼ଛି। ସେ ଜଣେ ଟ୍ରକ ଚାଳକ ଭାବେ କାମ କରନ୍ତି।
କୁଲିଥାଲାଇର ଡେପୁଟି ଏସ୍ପି ସେନ୍ଥିଲ କୁମାର ଏହି ହତ୍ୟା ଘଟଣାକୁ ନେଇ କହିଛନ୍ତି, ‘ଅଭିଯୁକ୍ତ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ଅନ୍ୟ ପୁରୁଷଙ୍କ ସହିତ ଅନୈତିକ ସମ୍ପର୍କ ଥିବା ନେଇ ସନ୍ଦେହ କରୁଥିଲେ। ଜୁଲାଇ ୧୯ ତାରିଖ ଶନିବାର ରାତିରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଭି ଶ୍ରୁତ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ସ୍ବାମୀଙ୍କ ଆକ୍ରମଣରେ ଭି ଶ୍ରୁତି ଗୁରୁତର ଆହତ ଅବସ୍ଥାରେ ଅଚେତ ହୋଇପଡ଼ିଥିଲେ।
ଏହାପରେ ସ୍ବାମୀ ଚିକିତ୍ସା ପାଇଁ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ରାତି ସମୟରେ ସମସ୍ତେ ଶୋଇପଡ଼ିଥିବା ବେଳେ ସୁଯୋଗ ନେଇ ଭି ଶ୍ରୁତ ଅଚେତ ସ୍ତ୍ରୀଙ୍କୁ ହସ୍ପିଟାଲ ବିଛଣାରେ ଛୁରାମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ହତ୍ୟାକାରୀ ସ୍ବାମୀଙ୍କୁ ଧରିବା ପାଇଁ ତଦନ୍ତ ଚାଲିଛି।
Follow Us