ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଟରେ କାହାର ଭିଡିଓ କେତେ ଶୀଘ୍ର ଭାଇରାଲ ହେବ ସେନେଇ ଏକ ପ୍ରତିଯୋଗିତା ଚାଲିଛି। ଏହି କ୍ରମରେ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ କି ନିଜ ଜୀବନକୁ ବାଜି ଲଗାଇ ଭିଡିଓ ରେକର୍ଡ କରିବାକୁ ପଛାଇ ନଥାଆନ୍ତି। ତାମିଲନାଡୁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଇନଷ୍ଟାଗ୍ରାମର ରିଲ ତିଆରି କରିବାକୁ ଯାଇ ତିନିଜଣ ବନ୍ଧୁ ପ୍ରାଣ ହରାଇଛନ୍ତି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତାମିଲନାଡୁରେ ରହୁଥିବା ଏହି ତିନିଜଣ ବନ୍ଧୁ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାରେ ରହିବାକୁ ସ୍ବପ୍ନ ଦେଖିଥିଲେ। ଏଥିପାଇଁ ତିନିଜଣ ସାଙ୍ଗ ବିଲ୍ଲୁପୁରମର ଚେଙ୍ଗଲପଟ୍ଟୁ ନିକଟ ରେଳ ଧାରଣାରେ ଭିଡିଓ କରୁଥିଲେ। ଗୁରୁବାର ସନ୍ଧ୍ୟାରେ ଏଗମୋରରୁ ଏକ ଯାତ୍ରୀବାହୀ ଟ୍ରେନ୍ ସେହି ରେଳ ଧାରଣା ଦେଇ ଯାଉଥିଲା । ଟ୍ରେନ୍ ଯାଉଥିବା ସମୟରେ ତିନିଜଣ ସାଙ୍ଗ ଏକ ଭିଡିଓ ତିଆରି କରିବାକୁ ଚିନ୍ତା କରିଥିଲେ।
ଏହା ପରେ ତିନିଜଣ ସାଙ୍ଗ ଧାରଣାରେ ଛିଡ଼ା ହୋଇ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ। ଆଖିପିଛୁଳାକେ ଟ୍ରେନ୍ ଧକ୍କାରେ ତିନିଜଣ ସାଙ୍ଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତିନି ସାଙ୍ଗଙ୍କ ବୟସ ୧୮ ରୁ ୨୩ ବର୍ଷ ମଧ୍ୟରେ ରହିଥିବା ଜଣାପଡ଼ିଛ। ଏହି ଘଟଣା ସାମ୍ନାକୁ ଆସିବା ପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ତିନିଜଣ ବନ୍ଧୁଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଇ ଦେଇଥିଲେ।
Follow Us