Image Source: Zee News
ସିଲିଗୁଡ଼ି: ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଅନ୍ତର୍ଗତ ଗଙ୍ଗାରାମପୁର ଅଞ୍ଚଳରେ ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ ତାଙ୍କ ପାରିବାରିକ ଜମିରେ ଗାଁ ରାସ୍ତା ନିର୍ମାଣକୁ ବିରୋଧ କରିବାରୁ ତୃଣମୂଳ କଂଗ୍ରେସ ନେତୃତ୍ୱାଧୀନ ପଞ୍ଚାୟତ ନେତା ତାଙ୍କୁ ଦଉଡ଼ିରେ ବାନ୍ଧି ଘୋଷାରି ଘୋଷାରି ନେଇ ମାରଧର କରିଥିବା ଅଭିଯୋଗ ହୋଇଛି। ଏ ଘଟଣାରେ ପ୍ରତିବାଦ କରିଥିବା ଓ ତାଙ୍କ ଭଉଣୀକୁ ମଧ୍ୟ ସମ୍ପୃକ୍ତ ନେତା ମାଡ଼ ମାରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
୨୯ ବର୍ଷୀୟ ପୀଡ଼ିତା ଶ୍ରୀମତୀ କନ ଦାସ ରବିବାର ଦିନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗ ଓ ଭିଡିଓ ଦୃଶ୍ୟକୁ ଦେଖିବା ପରେ ତୃଣମୂଳ କଂଗ୍ରେସର ପଞ୍ଚାୟତ ନେତା ଅମଲ ସର୍କାରଙ୍କୁ ଦଳରୁ ବହିଷ୍କାର କରାଯାଇଛି।
Image Source: Hindustan Timesଅଭିଯୋଗରେ ଶ୍ରୀମତୀ ଦାସ ଲେଖିଛନ୍ତି: ତାଙ୍କ ପାରିବାରିକ ଜମି ଉପରେ ରାସ୍ତା ନିର୍ମାଣ କାମକୁ ବିରୋଧ କରିବାରୁ ସର୍କାର ଓ ଅନ୍ୟ ଚାରିଜଣ ତାଙ୍କୁ ଲୁହାଛଡ଼ରେ ପିଟିବାରୁ ମୁଁ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ପଡ଼ିଗଲି। ତା’ପରେ ସେମାନେ ମୋ ଗୋଡ଼କୁ ଦଉଡ଼ିରେ ବାନ୍ଧି ପ୍ରାୟ ୩୦ ଫୁଟ୍ ଘୋଷାରି ନେଲେ। ମୋତେ ମାଡ଼ ଦିଆଯିବ ଏବଂ ମୋ ଇଜ୍ଜତ୍ ନିଆଯିବ ବୋଲି ସେମାନେ ଧମକ ଦେଇଛନ୍ତି।
ଏହି ସମୟରେ ଭଉଣୀ ଶୋମା ଦାସ ମୋତେ ଉଦ୍ଧାର କରିବାକୁ ଆସିବାରୁ ସେ ମଧ୍ୟ ଆକ୍ରମଣର ସରବ୍ୟ ହେଲା। ସେମାନେ ତା’ର ସୁନା ଚେନ୍ ଓ ମୋବାଇଲ୍ ଛଡ଼ାଇ ନେଇଛନ୍ତି। ସେ ପଡ଼ିଯିବାରୁ ତାକୁ ମଧ୍ୟ ମୋ ଭଳି ବାନ୍ଧି ଘୋଷାରି ନେଲେ।
ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନ ଥିଲେ ବି ଘଟଣାର ତଦନ୍ତ ଚାଲିଥିବା କଥା ଗଙ୍ଗାରାମପୁର ଥାନାର ଆଇଆଇସି ପୂର୍ଣ୍ଣେନ୍ଦୁ କୁମାର କୁଣ୍ଡୁ କହିଛନ୍ତି।
Follow Us