ପେଟ୍ରୋଲ ପମ୍ପରେ ନାବାଳକଙ୍କ ଦାଦାଗିରି

Advertisment

ମାଗଣା ତେଲ ପକାଇ ପଳାଉଥିଲେ

ମାଗଣା ତେଲ ପକାଇ ପଳାଉଥିଲେ

ପେଟ୍ରୋଲ, ଡିଜେଲ ଦର ୨ ଟଙ୍କା କମିଲା

ଖଣ୍ଡଗିରି : ବାଇକ୍‌ରେ ମାଗଣାରେ ପେଟ୍ରୋଲ ଭରିବାକୁ ଯାଇ ପେଟ୍ରୋଲ ପମ୍ପରେ ଦୁଇ ଜଣ ନାବାଳକ ଦେଖାଇଥିବା ଦାଦାଗିରିକୁ ନେଇ ଖଣ୍ଡଗିରି ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ନାବାଳକଦ୍ୱୟ ବରମୁଣ୍ଡା ଅଞ୍ଚଳର। ଜଣଙ୍କୁ ୧୫ ଓ ଅନ୍ୟ ଜଣଙ୍କୁ ୧୬ ବର୍ଷ ବୟସ। ପୁଲିସ ସେମାନଙ୍କୁ ଅଟକ ରଖି ଚେତାବନୀ ଦେଇ ଛାଡ଼ି ଦେଇଛି। ପେଟ୍ରୋଲ ପମ୍ପ ମାଲିକଙ୍କୁ ପେଟ୍ରୋଲ ବାବଦ ଟଙ୍କା ପଇଠ କରିବା ପରେ ମାମଲାକୁ ଦଫାରଫା କରାଯାଇଛି।

ବୁଧବାର ରାତି ପ୍ରାୟ ସାଢ଼େ୧୦ଟା। ନାବାଳକ ଦ୍ୱୟ ଏକ ପଲ୍‌ସର ବାଇକ୍‌ରେ ଆସି ସ୍ଥାନୀୟ ପେଟ୍ରୋଲ୍‌ ପମ୍ପରେ ପହଞ୍ଚି ଟାଙ୍କି ଭର୍ତି କରିବାକୁ କହିଥିଲେ। ସେଲ୍‌ସମ୍ୟାନ୍‌ ତେଲ ଭର୍ତି କରିବା ପରେ ୮ ଶହ ଟଙ୍କା ବିଲ୍‌ ଉଠିଥିଲା। ତେବେ ସେମାନେ ଟଙ୍କା ଦେବେ କ’ଣ, ସ୍ଥାନୀୟ ଟୋକା କହି ଟଙ୍କା କ’ଣ ମାଗୁଛ ବୋଲି ସେଲ୍‌ସମ୍ୟାନ୍‌କୁ ପାଲଟା ପ୍ରଶ୍ନ କରିଥିଲେ। ଏମିତିକି ଟଙ୍କା ନ ଦେଇ ଗାଡ଼ି ଷ୍ଟାର୍ଟ କରି ପଳାଇବାକୁ ବସିଥିଲେ। କିନ୍ତୁ ପୂର୍ବରୁ ଜଣେ ସେଲ୍‌ସମ୍ୟାନ ନଜର କରିଥିଲେ ଯେ ଉକ୍ତ ବାଇକ୍‌ର ନମ୍ବର ପ୍ଲେଟ୍‌ରେ ରୁମାଲ ବନ୍ଧା ହୋଇଛି। ଯେମିତି କେହି ସହଜରେ ନମ୍ବର ଟିପି ପାରିବେ ନାହିଁ। ତେଣୁ ଅଘଟଣ ଘଟିବା ଆଶଙ୍କା କରି ସେ ଓ ତାଙ୍କର ଆଉ କିଛି ସହକର୍ମୀ ପ୍ରସ୍ତୁତ ହୋଇ ରହିଥିଲେ। ନାବାଳକ ଦ୍ୱୟ ଖସି ପଳାଇବାକୁ ଉଦ୍ୟମ କଲାବେଳେ ସମସ୍ତେ ଘେରି ଯାଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ସହ ନାବାଳକଦ୍ୱୟଙ୍କୁ ଧରି ନେଇଥିଲା। ଖବର ପାଇ ଜଣେ ନାବାଳକର ବିଧବା ମା’ ଥାନାରେ ପହଞ୍ଚିଥିଲେ। ସେ ପେଟ୍ରୋଲ୍‌ ପମ୍ପ ମାଲିକଙ୍କୁ ୮ ଶହ ଟଙ୍କା ଦେବା ସହ ମାମଲାକୁ ଦଫାରଫା କରିବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe