ପୁରୁଣା ଭୁବନେଶ୍ୱର: ବିଏମ୍ସି ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା ଢିଲା। ହସ୍ପିଟାଲ ପରିସରରୁ ଶୁକ୍ରବାର ରାତିରେ ୪ଜଣ ରୋଗୀଙ୍କଠାରୁ ଚୋରି ହୋଇଛି। ନିଶା ସ୍ପ୍ରେ କରି ସୁନା, ଟଙ୍କା, ମୋବାଇଲ୍ ଓ ମେଡିସିନ୍ ଚୋରାଇ ନେଇଥିବା ଅଭିଯୋଗ ହୋଇଛି। ନିଶା ସ୍ପ୍ରେ ପରେ ସମସ୍ତେ ଶୋଇପଡ଼ିଥିଲେ। ଏହାର ସୁଯୋଗରେ ଦୁର୍ବୃତ୍ତ ରୋଗୀମାନଙ୍କ ବ୍ୟଗ୍କୁ ନେଇ ଗାଧୁଆ ଘର ନିକଟରେ ରଖି ସେଥିରୁ ସମସ୍ତ ଜିନିଷ ନେଇ ପଳାଇଯାଇଛନ୍ତି। ସୂଚନା ଅନୁଯାୟୀ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁର ଖଲ୍ଲିକୋଟରୁ ଆସିଥିବା ସନ୍ତୋଷୀ ସେଠୀଙ୍କ ୭ହଜାର ଟଙ୍କା, ୧୩ହଜାର ଟଙ୍କାର ମୋବାଇଲ୍, ୮ହଜାର ଟଙ୍କାର ସୁନା ଲକେଟ୍, ୨ହଜାର ଟଙ୍କାର ଔଷଧ, ପିପିଲିର ଭଗବାନ ଖଟେଇଙ୍କ ଘଣ୍ଟା, ଦେଢ଼ ହଜାର ଟଙ୍କା, ଶ୍ରୀମନ୍ତ ମିଶ୍ରଙ୍କ ୫ହଜାର ଟଙ୍କା, ରବି ମହାରଣାଙ୍କ ହଜାେର ଟଙ୍କାର ଔଷଧ ଚୋରି ହୋଇଛି। ଏନେଇ ପୁଲିସ ପ୍ରାଥମିକ ତଦନ୍ତ କରିଥିଲେ ମଧ୍ୟ ଲିଖିତ ଅଭିଯୋଗ ହୋଇ ନଥିବାରୁ ମାମଲା କରାଯାଇ ନାହିଁ। ଏ ସଂପର୍କରେ ମୁଖ୍ୟ ଚିକିତ୍ସା ଅଧିକାରୀ ନିରେଧ କୁମାର ଛୋଟରାୟଙ୍କୁ ପଚାରିବାରୁ ସେ କୁହନ୍ତି ହସ୍ପିଟାଲରେ ୩ ଜଣ ସୁରକ୍ଷାକର୍ମୀ ୮ଘଣ୍ଟା ଲେଖାଏଁ ଡ୍ୟୁଟି କରୁଛନ୍ତି। ଏହା ସତ୍ତ୍ବେ କିପରି ଚୋରି ହେଲା ଏହାର ତଦନ୍ତ କରାଯିବ। ତେବେ ଗତକାଲିର ଏହି ଘଟଣା ପରେ ହସ୍ପିଟାଲ୍ରେ ରୋଗୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତୁରନ୍ତ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us